ବୁମେରାଂ ହେଲା ଏୟାର ଇଣ୍ଡଆର ନିର୍ଦ୍ଦେଶ: ନିର୍ଦ୍ଦେଶ ପ୍ରତ୍ୟାହୃତ; ପାଇଲଟ୍‌ଙ୍କୁ ପୂର୍ବବତ୍‌ ମିଳିବ ଆମିଷ ଖାଦ୍ୟ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଓ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ନିଜର ପାଇଲଟ୍‌ମାନଙ୍କୁ ଠିକ୍‌ ସମୟରେ ବେତନ ପ୍ରଦାନ କରିପାରୁ ନଥିବା ବେଳେ ଏବେ ବିମାନ ମଧ୍ୟରେ ପାଇଲଟମାନଙ୍କୁ କେବଳ ନିରାମିଷ ଖାଦ୍ୟ ଦେବାକୁ ଜାରି କରିଥିବା ଏକ ନିର୍ଦ୍ଦେଶନାମାକୁ ନେଇ ବିବାଦର ସୂତ୍ରପାତ ହୋଇଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କର ଏପ୍ରକାର ନିର୍ଦ୍ଦେଶନାମାକୁ ପାଇଲଟ୍‌ମାନେ ଘୋର ବିରୋଧ କରିବା ସହ ନିଜର ଅସନ୍ତୋଷ ପ୍ରକାଶ କଲାପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ତୁରନ୍ତ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେବା ସହ ‘ଭୁଲ୍‌କ୍ରମେ’ ଏପରି ଏକ ନିର୍ଦ୍ଦେଶ ଜାରି ହୋଇ ଯାଇଥିବା ସଫେଇ ଦେଇଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଖର୍ଚ୍ଚକାଟ ଯୋଜନାରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବିମାନରେ ଯାତ୍ରୀ ଓ ପାଇଲଟମାନଙ୍କୁ ଖାଦ୍ୟ ଯୋଗାଉଥିବା କ୍ୟାଟରିଂ ସଂସ୍ଥାକୁ ଏକ ପତ୍ର ଜରିଆରେ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଗତ ଜୁଲାଇ ୧୦ ବିମାନର ପାଇଲଟ ଓ ଅନ୍ୟ କ୍ର୍ୟୁ ସଦସ୍ୟମାନଙ୍କୁ ବିମାନ ମଧ୍ୟରେ କେବଳ ମାତ୍ର ନିରାମିଷ ଖାଦ୍ୟ ପରିବେଷଣ କରିବାକୁ। କିନ୍ତୁ, କର୍ତ୍ତୃପକ୍ଷଙ୍କର ଏପ୍ରକାର ନିଷ୍ପତ୍ତିର ଘୋର ବିରୋଧ କରିଥିଲେ ପାଇଲଟମାନେ। ତେବେ, ପାଇଲଟମାନଙ୍କର ବିରୋଧକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଅବିଳମ୍ବେ ତାଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ଏଣିକି ପାଇଲଟ୍‌ ଓ ଅନ୍ୟ କ୍ର୍ୟୁ ସଦସ୍ୟମାନଙ୍କୁ ପୂର୍ବପରି ଆମିଷ ଖାଦ୍ୟ ଉପଲବ୍ଧ ହେବ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଆଜକୁ ଠିକ୍‌ ବର୍ଷକ ତଳେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏକ ଅନୁରୂପ ନିର୍ଦ୍ଦେଶନାମା ଜାରିକରି ଘରୋଇ ବିମାନର ଇକୋନମି ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ କେବଳ ନିରାମିଷ ଖାଦ୍ୟ ଏବଂ ବିଜିନେସ୍‌ ଶ୍ରେଣୀ ଓ ଅନ୍ୟ ଅନ୍ତର୍ଜାତୀୟ ବିମାନରେ ଯାତ୍ରା କରୁଥିବା ସମସ୍ତ ଶ୍ରେଣୀର ଯାତ୍ରୀଙ୍କୁ ଆମିଷ ଖାଦ୍ୟ ପରଷିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ପ୍ରାୟ ୮ କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ସଫଳତାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ନିଜର ପାଇଲଟ ଓ ଅନ୍ୟ କ୍ର୍ୟୁ ସଦସ୍ୟଙ୍କୁ କେବଳ ନିରାମିଷ ଖାଦ୍ୟ ଦେବାକୁ ଯୋଜନା କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର