ରାଷ୍ଟ୍ରପତି କୋବିନ୍ଦଙ୍କ ଏୟାର ଇଣ୍ଡିଆ ଓ୍ଵାନ୍‌ ବିମାନରେ ବି ଯାନ୍ତ୍ରିକ ତ୍ରୁଟି: ଜୁରିକ୍‌ ବିମାନବନ୍ଦରରୁ ଫେରିଲେ ରାଷ୍ଟ୍ରପତି; ତଦନ୍ତ ନିର୍ଦ୍ଦେଶ ଦେଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ସଂପ୍ରତି ବିଦେଶ ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ନେଇ ଯାଇଥିବା ଏୟାର ଇଣ୍ଡିଆ ଓ୍ଵାନ୍‌ ବିମାନରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଘଟଣାକୁ କେନ୍ଦ୍ର କରି ଦେଶରେ ଖୁବ୍‌ ହଇଚଇ ସୃଷ୍ଟି ହୋଇଛି। ଏ ଘଟଣା ସଂପର୍କରେ ଏକ ‘ବିଧିବଦ୍ଧ ଓ ସଂପୂର୍ଣ୍ଣ ତଦନ୍ତ’ ରିପୋର୍ଟ ଦେବାକୁ ଏୟାର ଇଣ୍ଡିଆ ପକ୍ଷରୁ ଆଜି ନୋଟିସ ଜାରି କରାଯାଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଏବେ ସୁଇଜରଲ୍ୟାଣ୍ଡ୍‌ ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି (ରବିବାର) ସୁଇଜରଲ୍ୟାଣ୍ଡ୍‌ରୁ ସ୍ଲୋଭିନିଆ ଗସ୍ତରେ ଯିବାର ଥିଲା। ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି କୋବିନ୍ଦ ଯେତେବେଳେ ନିର୍ଦ୍ଦିଷ୍ଟ ସମୟରେ ସୁଇଜରଲ୍ୟାଣ୍ଡର ଜୁରିକ୍‌ ବିମାନ ବନ୍ଦରରେ ପହଞ୍ଚିଲେ ସେତେବେଳେ ତାଙ୍କୁ ନେଇ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବୋଇଂ ୭୪୭ ଏୟାର ଇଣ୍ଡିଆ ଓ୍ଵାନର ‘ରାଡାର ସିଷ୍ଟମ୍‌’ରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ଜୁରିକ୍‌ ବିମାନ ବନ୍ଦରରୁ ଆଉଥରେ ହୋଟେଲକୁ ଫେରିବା ପାଇଁ ପଡ଼ିଥିଲା ଏବଂ ତାଙ୍କର ଯାତ୍ରା ୩ ଘଣ୍ଟା ବିଳମ୍ବିତ ହୋଇଥିଲା।

Indsamachar

ଏ ଘଟଣାରେ ଜୁରିକ୍‌ ବିମାନ ବନ୍ଦରରେ ଅବସ୍ଥାପିତ ଥିବା ଏୟାର ଇଣ୍ଡିଆର ଅଧିକାରୀମାନେ ହଡ଼ବଡ଼େଇ ଯାଇ ଲଣ୍ଡନ ବିମାନ ବନ୍ଦରରେ ‘ଷ୍ଟାଣ୍ଡବାଇ’ ଭାବେ ଥିବା ଏୟାର ଇଣ୍ଡିଆର ଅନ୍ୟ ଏକ ବୋଇଂ ୭୭୭ ବିମାନକୁ ଜୁରିକ୍‌ ଡକାଇ ସେଥିରେ ରାଷ୍ଟ୍ରପତିଙ୍କୁ ସ୍ଲୋଭିନିଆ ପଠାଇବାର ଉଦ୍ୟମ କରୁଥିବା ବେଳେ ବୋଇଂ ୭୪୭ ବିମାନ ଏୟାର ଇଣ୍ଡିଆ ଓ୍ଵାନର ‘ରାଡାର ସିଷ୍ଟମ୍‌’ରେ ଦେଖା ଦେଇଥିବା ତ୍ରୁଟିକୁ ଏୟାର ଇଣ୍ଡିଆର ଇଞ୍ଜିନିୟରମାନେ ସଜାଡ଼ି ଦେଇଥିଲେ। ଫଳରେ ୩ ଘଣ୍ଟା ବିଳମ୍ବରେ ରାଷ୍ଟ୍ରପତି କୋବିନ୍ଦ ଏୟାର ଇଣ୍ଡିଆ ଓ୍ଵାନ୍‌ରେ ଜୁରିକ୍‌ରୁ ସ୍ଲୋଭିନିଆ ଅଭିମୁଖେ ଉଡ଼ାଣ ଭରିଥିଲେ।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ୯ ତାରଖ ଠାରୁ ଆଇସ୍‌ଲ୍ୟାଣ୍ଡ, ସୁଇଜରଲ୍ୟାଣ୍ଡ ଓ ସ୍ଲୋଭିନିଆ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏୟାର ଇଣ୍ଡିଆର ଯେଉଁ ସ୍ୱତନ୍ତ୍ର ବୋଇଂ ୭୪୭ ବିମାନ ଏୟାର ଇଣ୍ଡିଆ ଓ୍ଵାନ ବିମାନରେ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଯାଇଛନ୍ତି ତାହା କେବଳ ମାତ୍ର ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ଉଦ୍ଦେଶ୍ୟରେ ବ୍ୟବହାର ହୋଇଥାଏ।

ସମ୍ବନ୍ଧିତ ଖବର