ଏୟାର୍‌ ଇଣ୍ଡିଆ ବିମାନର ଓ୍ଵିଂଣ୍ଡୋ ପାନେଲ୍‌ ଖସି ତିନି ଆହତ

ନୂଆଦିଲ୍ଲୀ: ଗୁରୁବାର ଦିନ ଅମୃତସରରୁ ଦିଲ୍ଲୀ ଯାଉଥିବା ଏୟାର୍‌ ଇଣ୍ଡିଆର ଏକ ବିମାନ ଏମିତି ପବନ ଝାଙ୍କରେ ପଶିଗଲା ଯେ ତା’ର ଝରକା ପାନେଲ୍‌ର ଭିତର ଅଂଶ ଓ ଉପରେ ଥିବା ଅକ୍ସିଜେନ୍‌ ମାସ୍କ୍‌ ଖସି ପଡ଼ି ତିନି ଜଣ ଯାତ୍ରୀ ଆଘାତ ପାଇଲେ।

ବୋଇଙ୍ଗ୍‌ ୭୮୭ ଡ୍ରିମ୍‌ଲାଇନର୍‌ (ଭିଟିଏଏନ୍‌ଆଇ) ବିମାନଟି ୧୦ ରୁ ୧୫ ମିନିଟ୍‌ ଧରି ଏ ଭଳି ପବନ ଝାଙ୍କ ଦେଇ ଗତି କରିଥିଲା। ପବନ ଧକ୍କା ଯୋଗୁଁ ସମ୍ଭବତଃ ସିଟ୍‌ ବେଲ୍‌ଟ୍‌ ବାନ୍ଧି ନ ଥିବା ଜଣେ ଯାତ୍ରୀଙ୍କ ମୁଣ୍ଡ କ୍ୟାବିନ୍‌ ଛାତରେ ବାଜିଥିଲା। ସେ ଆହତ ହୋଇଥିଲେ। ଆଉ ଦୁଇ ଜଣ ଯାତ୍ରୀ ମଧ୍ୟ ସାମାନ୍ୟ ଆଘାତ ପାଇଥିଲେ। ଫଳତଃ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।

କେତେକ ଅକ୍ସିଜେନ୍‌ ମାସ୍କ ମଧ୍ୟ ଖସିପଡ଼ିଥିଲା। ସିଟ୍‌ ୧୨-ୟୁ’ ର ପାନେଲ୍‌ କଭର୍‌ ଚଡ଼କି ଯାଇଥିଲା।

ଦିଲ୍ଲୀରେ ଅବତରଣ କରିବା ପରେ ତିନି ଜଣ ଯାତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା। ମୁଣ୍ଡରେ ଆଘାତ ଲାଗିଥିବା ଯାତ୍ରୀଙ୍କର ଷ୍ଟିଚ୍‌ କରାଯାଇଥିଲା। ପ୍ରାଥମିକ ଉପଚାର ପାଇ ସେମାନେ ସୁସ୍ଥ ଅନୁଭବ କରିବା ପରେ ପୁନଶ୍ଚ ସେମାନଙ୍କର କନେକ୍‌ଟିଙ୍ଗ୍‌ ଫ୍ଲାଇଟ୍‌ ଧରିଥିଲେ।

ଡିଜିସିଏ ଏହି ଘଟଣାର ତଦନ୍ତ କରିବା ସହ ଏୟାର୍‌କ୍ରାଫ୍ଟ୍‌ ଇନ୍‌ଭେଷ୍ଟିଗେସନ୍‌ ବୋର୍ଡଙ୍କୁ ସୂଚନା ଦେଇଛି। କିନ୍ତୁ, ଏୟାର୍‌ ଇଣ୍ଡିଆ ଏ ସଂକ୍ରାନ୍ତରେ କୌଣସି ସୂଚନା ଦେଇ ନାହିଁ।

ସମ୍ବନ୍ଧିତ ଖବର