ଭାରତରେ ବିଭୀଷିକା ଆଣିବ ବାୟୁ ପ୍ରଦୂଷଣ:୮୦ ପ୍ରତିଶତ ସହରରେ ଧାର୍ଯ୍ୟ ମାନଠାରୁ ଅଧିକ ପ୍ରଦୂଷକ କଣିକା

ଓଡ଼ିଶାରେ ରାଜଗାଙ୍ଗପୁର ସର୍ବାଧିକ ପ୍ରଦୂଷିତ, ପୁରୀ ସର୍ବନିମ୍ନ

ନୂଆଦିଲ୍ଲୀ: ଭାରତରେ ସମ୍ପ୍ରତି ଦେଖାଦେଇଥିବା ବାୟୁ ପ୍ରଦୂଷଣ କେବଳ ଅନିୟନ୍ତ୍ରିତ ନୁହେଁ, ସାଂଘାତିକ ଭାବେ ବିପଦଜ୍ଜନକ ବୋଲି ଏକ ସର୍ବେଷଣରୁ ଜଣାଯାଇଛି। ପ୍ରତିକାର ସ୍ୱରୂପ କୌଣସି ଠୋସ୍‌ ପଦକ୍ଷେପ ନନେଲେ ଏହା ବିଭୀଷିକାମୟ ପରିସ୍ଥିତି ସୃଷ୍ଟି କରିବ। ଗ୍ରିନ୍‌ପିସ୍‌ ଇଣ୍ଡିଆ ଓ କ୍ଲିନ୍‌ ଏୟାର ନେସନ୍‌ ଦ୍ୱାରା ପ୍ରକାଶିତ ‘ବାୟୁ ପ୍ରଦୂଷଣର ବିଭୀଷିକା’ ଶୀର୍ଷକ ରିପୋର୍ଟରେ ଏପରି ଚେତାବନୀ ଦିଆଯାଇଛି। ଦେଶର ୨୮୦ଟି ସହରକୁ ନେଇ କରାଯାଇଥିବା ଏହି ସର୍ବେକ୍ଷଣରେ ପ୍ରତି ୧୦ଟି ସହର ମଧ୍ୟରୁ ୮ଟିରେ ଏଭଳି ସ୍ଥିତି ଦେଖାଯାଇଛି ବୋଲି ସତର୍କ କରାଇଦିଆଯାଇଛି। ରାଜ୍ୟର ସ୍ଥିତିକୁ ଦେଖିଲେ ରାଜଗାଙ୍ଗପୁର ସବୁଠୁ ପ୍ରଦୂଷିତ ବୋଲି ଜଣାଯାଇଛି।
ରିପୋର୍ଟ ଅନୁସାରେ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଜାତୀୟ ବାର୍ଷିକ ବାୟୁ ଗୁଣାତ୍ମକ ମାନ ଘନମିଟର ପିଛା ୬୦ ମାଇକ୍ରୋଗ୍ରାମ କଣିକା ରହିବା କଥା। ମାତ୍ର ଦେଶର ୮୦ ପ୍ରତିଶତ ସହରର ବାୟୁମଣ୍ଡଳରେ ଏହାଠାରୁ ଅଧିକ ମାତ୍ରାରେ କଣିକା ରହିଛି। ଅପରପକ୍ଷେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ଷିକ ଗୁଣାତ୍ମକ ମାନ ଘନମିଟର ପିଛା ୨୦ ମାଇକ୍ରୋଗ୍ରାମ କଣିକା ପୂରଣ କରିବାରେ ଦେଶର ଗୋଟିଏ ବି ସହର ଯୋଗ୍ୟ ହୋଇପାରିନାହିଁ।
ସୂଚନା ଥାଉ କି, ଅନ୍ତର୍ଜାତୀୟ ସ୍ତରରେ ୨୦୧୧ ମସିହା ଠାରୁ ଭାରତର ବାୟୁ ପ୍ରଦୂଷଣ କ୍ରମାଗତ ଭାବେ ବୃଦ୍ଧି ପାଇଲାଗିିଛି। ତେବେ ୨୦୧୫ରୁ ୨୦୧୭ ମସିହା ମଧ୍ୟରେ ଦେଶର ୬୩ କୋଟି ସହରୀ ଲୋକଙ୍କୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୫ କୋଟି ଲୋକ ବାୟୁ ପ୍ରଦୂଷଣର ନିର୍ଦ୍ଧାରିତ ପିଏମ୍‌୧୦ ମାନକ ଠାରୁ ଅଧିକ ପ୍ରଦୂଷିତ ଇଲାକାରେ ରହୁଥିବା ବେଳେ ୧୮ କୋଟି ଲୋକ ନିର୍ଦ୍ଧାରିତ ମାନକର ଦୁଇଗୁଣ ଅଧିକ ପ୍ରଦୂଷିତ ଇଲାକାରେ ବସବାସ କରୁଛନ୍ତି। ଆନ୍ଧ୍ରପ୍ରଦେଶର କୁର୍ନୁଲ ଓ ତିରୁପତି (ଜୁନରୁ ସେପ୍ଟମ୍ବର ମଧ୍ୟରେ) ବ୍ୟତୀତ ଅନ୍ୟ ସମସ୍ତ ସହରର ବାୟୁ ପ୍ରଦୂଷଣ ବାର୍ଷିକ ୬୦ ମାଇକ୍ରୋଗ୍ରାମ/ଘନ ମିଟର ରହିଛି। ଆସାମର ନାଓଗାଁରେ ସର୍ବାଧିକ ପ୍ରଦୂଷଣ ବାର୍ଷିକ ୧୪୨ ମାଇକ୍ରୋଗ୍ରାମ/ଘନ ମିଟର ରହିଛି। କର୍ଣ୍ଣାଟକରେ ସର୍ବାଧିକ ୧୮ଟି ସହର ଏବଂ ତାମିଲନାଡ଼ୁରେ ସର୍ବନିମ୍ନ ୮ଟି ସହର ପ୍ରଦୂଷିତ ଥିବା ଜଣାଯାଇଛି। ଅପରପକ୍ଷେ, ପୁଡୁଚେରି, ମିଜୋରାମ ଓ କେରଳରେ ବାୟୁ ପ୍ରଦୂଷଣର ମାତ୍ରା ଅନ୍ୟ ରାଜ୍ୟଗୁଡ଼ିକ ଠାରୁ ଆପାତତଃ ଭଲ ଥିଲେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନକ ଠାରୁ କମ୍‌ ରହିଛି।
ସେହିପରି ଓଡ଼ିଶାର ୩୪ଟି ବାୟୁ ପ୍ରଦୂଷଣ ନିରୀକ୍ଷଣ କେନ୍ଦ୍ରରୁ ୨୦୧୬-୧୭ରେ ସଂଗୃହୀତ ତଥ୍ୟାନୁସାରେ, ଅନଗୁଳ, ବାଲେଶ୍ୱର, ବ୍ରହ୍ମପୁର, କଟକ, ଭୁବନେଶ୍ୱର, ପୁରୀ, କଳିଙ୍ଗନଗର, କେନ୍ଦୁଝର, ପାରାଦ୍ୱୀପ, କୋଣାର୍କ, ରାୟଗଡ଼ା, ତାଳଚେର, ସମ୍ବଲପୁର, ରାଉରକେଲା, ରାଜଗାଙ୍ଗପୁର ଓ ଝାରସୁଗୁଡ଼ା ସହରରେ ବାର୍ଷିକ ବାୟୁ ପ୍ରଦୂଷଣ ୧୦୦ ମାଇକ୍ରୋଗ୍ରାମ/ଘନ ମିଟର ଠାରୁ ଅଧିକ ରହିଛି। ୨୦୧୫ ଠାରୁ ୨୦୧୬ରେ ଭୁବନେଶ୍ୱର, କଳିଙ୍ଗନଗର, ପୁରୀ ଓ କୋଣାର୍କରେ ବାୟୁ ପ୍ରଦୂଷଣ ସାମାନ୍ୟ ବୃଦ୍ଧି ଘଟିଥିବା ବେଳେ ଅନଗୁଳ, ରାଉରକେଲା ଓ ତାଳଚେରରେ ସାମାନ୍ୟ ହ୍ରାସ ପାଇଥିଲା। ରାଜଗାଙ୍ଗପୁର ସବୁଠାରୁ ବାର୍ଷିକ ମାତ୍ରାରେ ଅଧିକ ପ୍ରଦୂଷିତ ସହର ହୋଇଥିବା ବେଳେ କୋଣାର୍କ ୨୦୧୬ ମସିହାରେ ମାସିକ ମାତ୍ରାରେ ସର୍ବାଧିକ ପ୍ରଦୂଷିତ ଥିଲା। ଏହି ସମୟରେ କୋଣାର୍କର ବାୟୁ ପ୍ରଦୂଷଣ ମାତ୍ରା ୧୯୧ ମାଇକ୍ରୋଗ୍ରାମ/ଘନମିଟର ରହିଥିଲା। କଳିଙ୍ଗନଗରରେ ୧୧୩ ମାଇକ୍ରୋଗ୍ରାମ/ଘନମିଟର ଥିବା ବେଳେ ପାରାଦ୍ୱୀପ(୧୦୯), ତାଳଚେର(୧୦୫), ଭୁବନେଶ୍ୱର(୧୦୧) ଓ ପୁରୀ(୯୪) ବାର୍ଷିକ ପ୍ରଦୂଷିତ ସହର ତାଲିକାର ନିମ୍ନଆଡ଼କୁ ରହିଛନ୍ତି।

ସମ୍ବନ୍ଧିତ ଖବର