ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ:୩୯୫୯ କାରଖାନା ବନ୍ଦ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ ସ୍ତରରେ ପହଞ୍ଚିଛି। ଏଭଳି ସ୍ଥିତିରେ ଆଗାମୀ ଦିନରେ ପରିସ୍ଥିତି ସାଂଘାତିକ ହେବା ସ୍ପଷ୍ଟ ହୋଇଯାଇଥିବାରୁ ଜନବସତି ଅଂଚଳରେ ଥିବା ୩୯୫୯ କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ସ୍ଥିତିରେ ସୁଧାର ଆସିବ ବୋଲି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଆକଳନ କରିଛନ୍ତି। ଏ ବାବଦରେ ତୁରନ୍ତ ପଦକ୍ଷେପ ଆରମ୍ଭ କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ଜଳବୋର୍ଡ ଏବଂ ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକୁ କୁହାଯାଇଛି ଯେ ଏମ୍‌୍‌ସିଡିର ବିନା ମଂଜୁରିରେ ପ୍ରଦୂଷଣ ସୃଷ୍ଟିକାରୀ କାରଖାନାଗୁଡ଼ିକୁ ସଂଯୋଗ ଦିଆଯାଇ ପାରିବ ନାହିଁ।
ପ୍ରାୟ ୪ ହଜାର କାରଖାନା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି ଏବଂ ସଂପୃକ୍ତ ଅଂଚଳରେ ପ୍ରବଳ ଧୂଆଁ ଉଠୁଥିବାରୁ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ଏବେ ସହରର ପ୍ରଦୂଷଣସ୍ତର ସ୍ୱାଭାବିକଠାରୁ ୧୨ଗୁଣ ଅଧିକ ରହିଛି। ଦକ୍ଷିଣ ଦିଲ୍ଲୀରେ ଆର୍‌କେ ପୁରମ୍‌ ଭଳି ଜନବହୁଳ ଅଂଚଳରେ ପ୍ରଦୂଷଣସ୍ତରରେ ୯୫୦ ମାଇକ୍ରୋନ ଦେଖିବାକୁ ମିଳିଛି । ଯାହା ସ୍ୱାଭାବିକ ପ୍ରଦୂଷଣସ୍ତରଠାରୁ ୯ ଗୁଣ ଅଧିକ। ଆର୍‌କେ ପୁରମ୍‌ ବ୍ୟତୀତ ଆନନ୍ଦ ବିହାର , ଶାହଦରା, ବଜିରପୁର, ଅଶୋକ ବିହାର, ଶ୍ରୀନିବାସପୁରୀ ଅଂଚଳରେ ସ୍ଥିତି ଉଦ୍‌୍‌ବେଗଜନକ ରହିଛି । ବିଗତ ୩ ମାସ ଧରି ରାଜଧାନୀ ଦିଲ୍ଲୀକୁ ପ୍ରଦୂଷଣରୁ କିଛି ମାତ୍ରାରେ ମୁକ୍ତି ଦେବାପାଇଁ ଚାଲିଥିବା ପ୍ରୟାସ ଭଣ୍ଡୁର ହୋଇଥିବାରୁ ଆଗକୁ ସ୍ଥିତି ଅଧିକ ଭୟଙ୍କର ହେବା ଆଶଙ୍କା କରାଯାଉଛି। ଜୁନ୍‌ ପରେ ବାୟୁ ପ୍ରଦୂଷଣସ୍ତରରେ ସୁଧାର ଆସିଥିବା ବେଳେ ଅକ୍ଟୋବର ୨ରୁ ଏଥିରେ ପୁଣି ଅବନତି ଦେଖିବାକୁ ଥିଲା। ବିଭିନ୍ନ ସ୍ଥାନରେ ଆବର୍ଜନା ଗଦାରେ ନିଆଁ, ନିର୍ମାଣ ଏବଂ ଉଚ୍ଛେଦ କାର୍ଯ୍ୟ ସାଂଗକୁ ବଢ଼ି ଚାଲିିଥିବା ଯାନବାହନ ପ୍ରଦୂଷଣ ଘୋର ଚିନ୍ତାର କାରଣ ହୋଇଛି। ଦିଲ୍ଲୀରେ ୭୦ ପ୍ରତିଶତ ପ୍ରଦୂଷଣ ଆବର୍ଜନା ଯୋଗୁଁ ହେଉଛି ।

ସମ୍ବନ୍ଧିତ ଖବର