ଏୟାରଏସିଆ ବିମାନ ଭିତରେ ପାଇଲଟ୍‌ ଦେଖାଇଲେ ତାଙ୍କ ଉଗ୍ରରୂପ; ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଯିବାକୁ ଧମକ ସହ ‘ଫୁଲ୍‌ସ୍ପିଡ୍‌’ରେ ଚଳାଇଲେ ଏସି

0 822

ଗୌହାଟୀ/ ମୁମ୍ବାଇ: କୋଲକାତାରୁ ବାଗ୍‌ଡୋଗ୍‌ରା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏୟାର ଏସିଆର ଏକ ବିମାନରେ ସବାର ଥିବା ଯାତ୍ରୀମାନଙ୍କ ପ୍ରତି ସଂପୃକ୍ତ ବିମାନର କର୍ମଚାରୀ ଓ ପାଇଲଟ୍‌ଙ୍କ ଅଶାଳୀନ ଆଚରଣକୁ କେନ୍ଦ୍ର କରି ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ସକାଳ ୯ଟା ସମୟରେ କୋଲକାତାରୁ ବାଗ୍‌ଡୋଗ୍‌ରା ଅଭିମୁଖେ ଏୟାର ଏସିଆର ଏକ ବିମାନ ଉଡ଼ାଣ ଭରିବାର ଥିଲା। ଏହି ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ମଧ୍ୟ ନିର୍ଦ୍ଧାରିତ ସମୟରେ ବିମାନରେ ପ୍ରବେଶ କରିବା ସହ ନିଜ ନିଜର ଆସନ ଗ୍ରହଣ କରିଥିଲେ। ତେବେ, ବିମାନଟି ନିର୍ଦ୍ଧାରିତ ସମୟରେ ଉଡ଼ାଣ ଆରମ୍ଭ କରି ନଥିଲା। ଉଡ଼ାଣ ଆରମ୍ଭରେ ୩୦ ମିନିଟର ବିଳମ୍ବ ଘଟିବା ପରେ ଯାତ୍ରୀମାନେ ବିମାନ କର୍ମଚାରୀଙ୍କୁ ବିଳମ୍ବର କାରଣ ସଂପର୍କରେ ପ୍ରଶ୍ନ କରିଥିଲେ। ତେବେ, ଏୟାର ଏସିଆ ବିମାନର କର୍ମଚାରୀମାନେ ଯାତ୍ରୀମାନଙ୍କୁ କୌଣସି ପ୍ରକାରର ସନ୍ତୋଷ ଜନକ ଉତ୍ତର ଦେବା ବଦଳରେ ସେମାନଙ୍କ ସହ ଯୁକ୍ତତର୍କ ଆରମ୍ଭ କରି ଦେଇଥିଲେ। ଅପରପକ୍ଷରେ ବିମାନଟିର ଉଡ଼ାଣ ଭରିବାରେ ଅହେତୁକ ବିଳମ୍ବ ଘଟୁଥିବା ବେଳେ ବିମାନ ଭିତରେ ଥିବା ଯାତ୍ରୀମାନଙ୍କୁ ଖାଦ୍ୟ କିମ୍ବା ପାନୀୟ କିଛି ହେଲେ ଦିଆଯାଇ ନଥିଲା। ପରେ ଏହି ଘଟଣାକୁ କେନ୍ଦ୍ରକରି ଯାତ୍ରୀମାନେ ପାଟିତୁଣ୍ଡ କରିବାରୁ ବିମାନର ପାଇଲଟ୍‌ ତଥା କ୍ୟାପ୍‌ଟେନ୍‌ ଯାତ୍ରୀମାନଙ୍କୁ ତୁରନ୍ତ ନିଜ ନିଜର ସିଟ୍‌ ଛାଡ଼ି ବିମାନରୁ ତଳକୁ ଓହ୍ଲାଇ ଯିବାକୁ ଧମକ ଦେଇଥିଲେ। ତେବେ, ସେ ସମୟରେ ବିମାନ ବନ୍ଦରରେ ଖୁବ୍‌ଜୋରରେ ବର୍ଷା ହେଉଥିବାରୁ ଯାତ୍ରୀମାନେ ବିମାନରୁ ନ ଓହ୍ଲାଇ ବିମାନ ଭିତରେ ବସି ରହିଥିଲେ।

ଏହି ଘଟଣାରେ ଉତ୍ୟକ୍ତ ହୋଇ ବିମାନର ପାଇଲଟ୍‌ ତଥା କ୍ୟାପ୍‌ଟେନ୍‌ ବିମାନର ଏସିକୁ ଫୁଲ୍‌ ସ୍ପିଡ଼୍‍ରେ ଚଳାଇ ଦେଇଥିଲେ। ଫଳରେ ବିମାନ ଭିତରେ ଏସିର ଥଣ୍ଡା ଧୂଆଁ କୁହୁଡ଼ି ସଦୃଶ ବ୍ୟାପିଯିବା ସହ ଯାତ୍ରୀମାନେ ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଏସି କମ୍‌ କରିବା ପାଇଁ ଯାତ୍ରୀମାନେ ଯେତେ ଅନୁରୋଧ କଲେ ମଧ୍ୟ ପାଇଲଟ୍‌ ସେମାନଙ୍କ କଥା ଶୁଣିବା ବଦଳରେ ସେମନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ଘଟଣାରେ କିଛି ମହିଳା ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଛୋଟ ପିଲାମାନେ ବାନ୍ତି କରିବାକୁ ଆରମ୍ଭ କରି ଦେଇଥିଲେ। ହେଲେ, ପାଇଲଟ୍‌ ଥିଲେ ନିର୍ବକାର। ଶେଷରେ ଦୀର୍ଘ ୪ ଘଣ୍ଟା ୫୦ମିନିଟର ବିଳମ୍ବ ପରେ ବିମାନଟି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଉଡ଼ାଣ ଆରମଭ କରିଥିଲା। ଏହି ବିିମାନରେ ଯାତ୍ରା କରୁଥିବା ଭାରତୀୟ ତୈଳ ନଗମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀପଙ୍କର ରାୟ ଏହି ଘଟଣାର ଭିଡ଼ିଓ ଚିତ୍ର ସହ ସମଗ୍ର ଘଟଣା ସଂପର୍କରେ ଅଭିଯୋଗ କଲାପରେ ଏୟାର ଏସିଆ କର୍ତ୍ତୃପକ୍ଷ ଏବେ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.