କ୍ଷତି ସତ୍ତ୍ୱେ କିନ୍ତୁ ନିଯୁକ୍ତି ଦେବା ବନ୍ଦ କରିନି ଏୟାରଇଣ୍ଡିଆ, ୨୭୦ ପାଇଲଟଙ୍କୁ ନିଯୁକ୍ତି ଦେବ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ ବିମାନସେବା କମ୍ପାନି ଏୟାରଇଣ୍ଡିଆର କ୍ଷତି ବଢିଚାଲିଛି । ଏହି କ୍ଷତି ଯୋଗୁଁ ସରକାର ଏହାକୁ ଘରୋଇକରଣ କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ କେହି କିଣିବାକୁ ରାଜି ହେଉନାହାନ୍ତି । ଏୟାରଇଣ୍ଡିଆର କ୍ଷତିର ଏକ ବଡ଼ କାରଣ ହେଲା ଏହାର ଆବଶ୍ୟକତାଠାରୁ ଅଧିକ କର୍ମଚାରୀ । ଏସବୁ ସତ୍ତ୍ୱେ ଏୟାରଇଣ୍ଡିଆ ଆହୁରି ନିଯୁକ୍ତି ଦେଇଚାଲିଛି । କିଛି ସପ୍ତାହ ପୂର୍ବେ ଏହି କମ୍ପାନି ୫୦୦ କ୍ୟାବିନ କ୍ରିୟୁ ନିଯୁକ୍ତ କରିଥିଲା । ଏବେ ପୁଣି ୨୭୦ ସହ-ପାଇଲଟ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏଥିପାଇଁ ଚିଫ୍‌-ପାଇଲଟ୍‌ ପରି କେତେକ ନୂଆ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ପୂର୍ବରୁ ଏହି ସମାନ କାମ ପାଇଁ ପଦବୀ ଥିବା ବେଳେ ଏହି ନୂଆ ପଦବୀ ସୃଷ୍ଟି କରାଯାଇଛି । ଏହି ଦୁଇ ପଦବୀ ହେଲା ଡାଇରେକ୍ଟର(ଅପରେସନ୍ସ) ଓ ଏକଜକ୍ୟୁଟିଭ ଡାଇରେକ୍ଟର ଅପରେସନ୍ସ । ତେବେ କେତେକ ନିୟମର ଅନୁପାଳନ ଓ ଆବଶ୍ୟକତା ପୂରଣ ପାଇଁ ଏହି ନିଯୁକ୍ତି କରାଯାଉଛି ବୋଲି ଏୟାରଇଣ୍ଡିଆ ପକ୍ଷରୁ କୁହାଯାଇଛି । ଡିସେମ୍ବର ୨୦୧୭ ସୁଦ୍ଧା ଏୟାରଇଣ୍ଡିଆର ମୋଟ ୧୧୨୧୪ ଜଣ କର୍ମଚାରୀ ଥିଲେ । ଏମାନଙ୍କ ମଧ୍ୟରୁ ୨୦୫୬ ଜଣ ଅନ୍ୟ ବିଭାଗ ଓ କମ୍ପାନିକୁ ଡେପୁଟେସନରେ ଯାଇଛନ୍ତି । ଏହାର ମଧ୍ୟ ୨୯୧୩ ଜଣ ଠିକା କର୍ମଚାରୀ ଅଛନ୍ତି ।

ସମ୍ବନ୍ଧିତ ଖବର