ବିମାନ ବନ୍ଦର ଓ ରେଳଷ୍ଟେସନ୍‌ର ଓ୍ଵାଇଫାଇ ବ୍ୟବହାର କଲେ ସାଇବର୍‌ ଆକ୍ରମଣର ଶିକାର ହୋଇ ପାରନ୍ତି

ଚେନ୍ନାଇ: ରେଳ ଷ୍ଟେସନ୍‌ ଏବଂ ବିମାନ ବନ୍ଦରରେ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଓ୍ଵାୟାର୍‌ଲେସ୍‌ କମ୍ପ୍ୟୁଟର୍‌ ନେଟ୍‌ଓ୍ଵାର୍କ ବ୍ୟବହାର କରି ଇଣ୍ଟର୍‌ନେଟ୍‌ ବ୍ରାଉଜ୍‌ କଲେ ସାଇବର୍‌ ଆକ୍ରମଣର ଶିକାର ହେବାର ଆଶଙ୍କା ରହିଛି ବୋଲି ସରକାରୀ ଏଜେନ୍‌ସି ଇଣ୍ଡିଆନ୍‌ କମ୍ପ୍ୟୁଟର୍‌ ଇମର୍ଜେନ୍‌ସି ରେସ୍‌ପନ୍‌ସ୍‌ ଟିମ୍‌ (ସିଇଆର୍‌ଟି-ଇନ୍‌) ସତର୍କ କରାଇ ଦେଇଛି।

ଦେଶର ପବ୍ଲିକ୍‌ ଓ୍ଵାଇ-ଫାଇ ବ୍ୟବହାରରେ ସବୁଠୁ ଅଧିକ ସାଇବର୍‌ ଆକ୍ରମଣର ସମ୍ଭାବନା ରହିଛି ବୋଲି ସିଇଆର୍‌ଟି-ଇନ୍‌ କହିଛି। ଏଥିରେ ଆକ୍ରମଣକାରୀମାନେ କ୍ରେଡିଟ୍‌ କାର୍ଡ ନମ୍ବର, ପାସ୍‌ଓ୍ଵାର୍ଡ, ଚାଟ୍‌ ମେସେଜ୍‌ ଏବଂ ଇମେଲ୍‌ ଭଳି ସ୍ପର୍ଶକାତର ସୂଚନା ଆଦି ହାସଲ କରି ନେଇ ପାରିବେ। ତେଣୁ ବ୍ୟବହାରକାରୀମାନେ କୌଣସି ପରିସ୍ଥିତିରେ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଓ୍ଵାଇ-ଫାଇ ବ୍ୟବହାର କରିବା ଉଚିତ ନୁହେଁ ବୋଲି ସିଇଆର୍‌ଟି-ଇନ୍‌ ପରାମର୍ଶ ଦେଇ କହିଛି କି, ବରଂ ଲୋକେ ଭର୍ଚ୍ୟୁଆଲ୍‌ ପ୍ରାଇଭେଟ୍‌ ନେଟ୍‌ଓ୍ଵାର୍କ (ଭିପିଏନ୍‌) ବ୍ୟବହାର କରିବା ଶ୍ରେୟସ୍କରର।

ଓ୍ଵାୟାର୍‌ଲେସ୍‌ ନେଟ୍‌ଓ୍ଵାର୍କ ସଂଯୋଗ ପାଇଁ ସାଧାରଣ ଭାବେ ବ୍ୟବହୃତ ଡବ୍ଲୁପିଏ କିଂବା ଡବ୍ଲୁପିଏ୨ ଏନ୍‌କ୍ରିପ୍‌ସନ୍‌ ସାଇବର ଆକ୍ରମଣ ପାଇଁ ସୁଗମ୍ୟ ବୋଲି ଏକ ଆନ୍ତର୍ଜାତିକ ଗବେଷଣା ସୂଚନା ଦେବା ପରେ ସିଇଆର୍‌ଟି-ଇନ୍‌ର ସତର୍କତା ସୂଚନା ପ୍ରକାଶ ପାଇଛି। ମ୍ୟାଥି ଭ୍ୟାନ୍‌ହୋଫ୍‌ଙ୍କ ନେତୃତ୍ୱରେ କରାଯାଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଏଣ୍ଡ୍ରଏଡ୍‌, ଆଇଓଏସ୍‌, ଲିନକ୍ସ୍‍, ମ୍ୟାକ୍‌ଓଏସ୍‌ ଏବଂ ଉଇଣ୍ଡୋ ଆଦିରେ ଚାଲୁଥିବା ଉପକରଣଗୁଡ଼ିକ ବିଶେଷଭାବେ ବିପଦନ୍ମୋଖୀ। ଏଭଳି ଆକ୍ରମଣକୁ ସେମାନେ କ୍ରାକ୍‌ ବୋଲି ନାମିତ କରିଛନ୍ତି।

ସମ୍ବନ୍ଧିତ ଖବର