ଅଯୋଧ୍ୟା ବିବାଦ: ସୁପ୍ରିମ୍‌ କୋର୍ଟରେ ତୀବ୍ର କଥା କଟାକଟି

ଅଯୋଧ୍ୟା ବିବାଦ ‘ବହୁବିବାହ’ଠାରୁ ଗୁରୁତ୍ୱପୂର୍ଣ୍ଣ, ସମ୍ବିଧାନ ପୀଠ ଶୁଣାଣି କରୁ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ବିବାଦର ଶୁଣାଣି ଆଜି ସୁପ୍ରିମ କୋର୍ଟରେ ଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି। ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମ୍‌ କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ ଦ୍ୱାରା କରାଯିବାକୁ ବରିଷ୍ଠ ଆଇନଜୀବୀ ରାଜୀବ ଧଓ୍ଵନ ଆଜି କୋର୍ଟରେ ଯୁକ୍ତି ରଖିଥିଲେ। ମୁସ୍‌ଲିମ୍‌ଙ୍କ ସଂପ୍ରଦାୟରେ ପ୍ରଚଳିତ ବହୁବିବାହ ମାମଲା ଅପେକ୍ଷା ଅଯୋଧ୍ୟା ମାମଲା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଭଳି କ୍ଷେତ୍ରରେ ୩ଜଣ ବିଚାରପତିଙ୍କ ଖଣ୍ଡପୀଠ ବଦଳରେ ୫ ଜଣିଆ ସମ୍ବିଧାନ ପୀଠର ରାୟ ହିଁ ଅଧିକ ଗ୍ରହଣୀୟ ହେବ ବୋଲି ସେ କହିଥିଲେ। ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଥିଲେ ଯେ ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତେବେ ବର୍ତ୍ତମାନ ସ୍ଥିତିରେ ଶୁଣାଣି ପୂର୍ବ ଭଳି ଜାରି ରହିବ ଏବଂ ସମସ୍ତ ପକ୍ଷଙ୍କର ମତାମତ ମିଳିବା ପରେ ହିଁ ମାମଲା ସମ୍ବିଧାନ ପୀଠକୁ ଯିବ କି ନାହିଁ ତାହା ସ୍ଥିର ହେବ। ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ବରିଷ୍ଠ ଆଇନଜୀବୀ କେ.ପରାଶରନ କହିଥିଲେ ଯେ, ବହୁବିବାହ ସହ ଅଯୋଧ୍ୟା ମାମଲାକୁ ତୁଳନା କରାଯାଇ ପାରିବ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡିସ୍‌ନାଲ ସଲିସିଟର ଜେନେରାଲ ମନିନ୍ଦର ସିଂହ କହିଥିଲେ ଯେ, କୋର୍ଟ ଏଭଳି ଯୁକ୍ତିକୁ ଗ୍ରହଣ କରିବା ଆଦୌ ଉଚିତ୍‌ ନୁହେଁ।

ସମ୍ବନ୍ଧିତ ଖବର