ଆଇନର ଦ୍ବାରସ୍ଥ ହେଲେ ଆକବର

ରମାନିଙ୍କ ବିରୋଧରେ ମାନହାନି ‌େମାକଦ୍ଦମା : କଂଗ୍ରେସ-ବିଜେପି ମୁହଁାମୁହିଁ

ନୂଆଦିଲ୍ଲୀ: ଡଜନେରୁ ଊର୍ଦ୍ଧ୍ବ ଯୌନ ନିର୍ଯାତନା ଅଭିଯୋଗର ସାମ୍ନା କରୁଥିବା ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ ଆକବର ସୋମବାର ଆଇନର ଆଶ୍ରୟ ନେଇଛନ୍ତି। ସାମ୍ବା‌ଦିକା ପ୍ରିୟା ରମାନିଙ୍କ ବିରୋଧରେ ଆକବର ଆଜି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ମାନହାନି ମୋକଦ୍ଦମା କରିଛନ୍ତି। ଗତକାଲି ଆକବର ଆଫ୍ରିକାରୁ ଫେରିବା ପରେ ନିଜ ବିରୋଧରେ ହୋଇଥିବା ସମସ୍ତ ‌େଯୗନ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିବା ସହିତ ଆଇନର ରାସ୍ତା ବାଛିବେ ବୋଲି ସ୍ପଷ୍ଟ କରିଥିଲେ। ତେବେ ଆଜି ସେ ନିଜ ଓକିଲମାନଙ୍କ ମାଧ୍ୟମରେ ମାନହାନି ମୋକଦ୍ଦମା କରିଛନ୍ତି।
ମନ୍ତ୍ରୀ ଆକବରଙ୍କ ବିରୋଧରେ ଡଜନେରୁ ଅଧିକ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ରମାନି ହିଁ ପ୍ରଥମେ ମି ଠୁ ଅଭି‌ଯାନରେ ସାମିଲ ହୋଇ ତାଙ୍କ ବି‌େରାଧରେ ମୁହଁ ଖୋଲିଥିଲେ। ପେସାରେ ସାମ୍ବାଦିକା ରମାନି ନିଜ ଅଭି‌େଯାଗରେ ଦର୍ଶାଇଥିଲେ ଯେ ଆକବର ଏକ ପ୍ରମୁଖ ଖବରକାଗଜର ସମ୍ପାଦକ ଥିଲା ବେଳେ ତାଙ୍କୁ ଏକ ହୋଟେଲ୍ ରୁମ୍‌ରେ ଯୌନ ନିର୍ଯାତନା ଦେଇଥିଲେ। ହୋଟେଲ୍‌ ରୁମ୍‌ ମଧ୍ୟରେ ସାକ୍ଷାତକାର ବେଳେ ସେ ଅନ୍ୟମାନଙ୍କୁ ମଧ୍ୟ ଅଶ୍ଳୀଳ ଆଚରଣ କରିଥିଲେ। ଏହାପରେ ବ୍ରିଟେନ୍‌ଭିତ୍ତିକ ସାମ୍ବାଦିକା ରଥ୍‌ ଡେଭିଡ୍‌, ଆମେରିକୀୟ ସାମ୍ବାଦିକା ମଜ୍‌ଲି ଡି ପୁ କ୍ୟାମ୍ପ୍, ସବା ନକ୍‌ବି, ଗଜଲା ୱାହାବ, ସୁତାପା ପଲ୍‌, ସୁମା ରାହା, କନିକା ଗେହଲଟ୍‌, ସୁପର୍ଣ୍ଣା ଶର୍ମା, ପ୍ରେରଣା ବିନ୍ଦ୍ରା ଓ କାଦମ୍ବରୀ ୱାଦେ ପ୍ରମୁଖ ସାମ୍ବାଦିକା ମଧ୍ୟ ଆକବରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।
କିନ୍ତୁ ଆକବର ରବିବାର ଭାରତ ଫେରିବା ପରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ କହିଥିଲେ, ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହା ଭିତ୍ତିହୀନ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ। ଜାଣିଶୁଣି ତାଙ୍କ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରାଯାଉଛି। ପ୍ରମାଣ ବିନା ଅଭିଯୋଗ ଲଗାଇବା‌ ବର୍ତ୍ତମାନ କିଛି ବର୍ଗର ଲୋକଙ୍କର ଅଭ୍ୟାସରେ ପରିଣତ ହୋଇଛି। ମୋ ବିରୋଧରେ ଅଭିଯୋଗ ଆଣିଥିବା କିଛି ମହିଳା ସାମ୍ବାଦିକ ପୂର୍ବରୁ ମି ଠୁ ଅଭିଯାନରେ ସାମିଲ ହୋଇ ଅନେକ ନିବନ୍ଧ ପ୍ରକାଶ କରିଥିଲେ। କିନ୍ତୁ ସେବେ ମୋ ନଁା ନେଇନଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୋ ମର୍ଯ୍ୟାଦାକୁ କ୍ଷତି ପହଞ୍ଚାଇବା ଭଳି ଅଭିଯୋଗମାନ ଆସୁଛି। ପ୍ରିୟା ରମାନିଙ୍କ ସମ୍ପର୍କରେ ସେ କହିଥିଲେ, ଏକ ପତ୍ରିକାରେ ରମାନି ମି ଠୁ ଅଭିଯାନ ପ୍ରସଙ୍ଗରେ ବିଭିନ୍ନ ନିବନ୍ଧ ପ୍ରକାଶ କରିଛନ୍ତି। କିନ୍ତୁ କେଉଁଥିରେ ସେ ମୋ ନଁା ନେଇନଥିଲେ। ଏବେ କାହିଁକି ଏଭଳି କରାଯାଉଛି ବୋଲି ‌େସ ପ୍ରଶ୍ନ କରିଥିଲେ।
ଆକବରଙ୍କ ଯୁକ୍ତି ଉପରେ କଂଗ୍ରେସ ପକ୍ଷରୁ ଅନେକ ପ୍ରଶ୍ନ ଉଠାଯାଇଛି। ମହିଳା ସାମ୍ବାଦିକମାନେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିବାରେ ରାଜନୈତିକ ଷଡ଼ଯନ୍ତ୍ର କେଉଁଠି ରହିଲା ବୋଲି ଦଳର ପ୍ରିୟଙ୍କା ଚତୁର୍ବେଦୀ ପ୍ରଶ୍ନ କରିଛନ୍ତି। କଂଗ୍ରେସ ନେତା ଆନନ୍ଦ ଶର୍ମା ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।
ଅନ୍ୟପକ୍ଷରେ ଶାସକ ଦଳ ବିଜେପି ପକ୍ଷରୁ ଏ ନେଇ କୁହାଯାଇଛି ଯେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ତାଙ୍କ ପକ୍ଷ ରଖିସାରିଛନ୍ତି। କିନ୍ତୁ ଆକବରଙ୍କୁ ବିଜେପି ସମର୍ଥନ କରୁଛି କି ପ୍ରଶ୍ନର ଉତ୍ତରରେ ବିଜେପି ମୁଖପାତ୍ର ଜିଭିଏଲ୍‌ ନରସିଂହ ରାଓ କହିଛନ୍ତି, ଏଥିରେ ଆକବରଙ୍କୁ ସମର୍ଥନ କିମ୍ବା ବିରୋଧ କରିବାର କିଛି ନାହିଁ। ସେ ଅଭିଯୋଗଗୁଡ଼ିକୁ ଖଣ୍ଡନ କରିସାରିଥିବା ରାଓ କହିଛନ୍ତି।

ସମ୍ବନ୍ଧିତ ଖବର