ଆଜମଗଡ଼ରୁ ନିର୍ବାଚନ ଲଢ଼ିବେ ଅଖିଳେଶ, ମୈନପୁରୀରୁ ମୁଲାୟମ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ଆଜମଗଡ଼ ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ। ଅଖ‌ିଳେଶଙ୍କ ବାପା ମୁଲାୟମ ସିଂହ ଯାଦବ ଏହି ଆସନକୁ ପ୍ରତିନିଧିତ୍ବ କରୁଥିବାବେଳେ  ଏଥର ଅଖିଳେଶ ଏହି ଆସନରୁ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷେ ୭୯ ବର୍ଷୀୟ ପୁରୁଖା ନେତା ମୁଲାୟମ ମୈନପୁରୀ ଆସନରୁ ନିର୍ବାଚନ ଲଢ଼ିବେ। ତେବେ ଦଳ ଦ୍ବାରା ପ୍ରଥମେ ପ୍ରକାଶ ପାଇଥିବା ୪୦ ତାରକା ପ୍ରଚାରକ ତାଲିକାରେ ମୁଲାୟମ ନାମ ନଥିବାରୁ ଏହାକୁ ନେଇ ଅସନ୍ତୋଷ ବଢ଼ିବା ପରେ ପୁଣି ତାଙ୍କ ନାମକୁ ଏଥିରେ ସାମିଲ କରାଯାଇଛି। ପ୍ରଥମ ଥର ପାଇଁ ଅଖିଳେଶ ପୂର୍ବ ଉତ୍ତରପ୍ରଦେଶରୁ ନିର୍ବାଚନ ଲଢ଼ୁଛନ୍ତି।  ୨୦୦୯ ସାଧାରଣ ନିର୍ବାଚନରେ ଅଖିଳେଶ କନୌଜ ଆସନରୁ ନିର୍ବାଚନ ଜିତିଥିଲେ। ତେବେ ୨୦୧୨ରେ  ଅଖିଳେଶ ମୁଖ୍ୟମନ୍ତ୍ରୀ ହେବାପରେ ସେ ଏହି ଆସନଟିକୁ ପତ୍ନୀ ଡିମ୍ପଲ ଯାଦବଙ୍କ ପାଇଁ ଛାଡ଼ିଥିଲେ। ସେହିପରି  ବରିଷ୍ଠ ‌ସପା ନେତା  ଆଜମ ଖାନ୍‌ ରାମପୁର ଆସନରୁ ନିର୍ବାଚନ ଲଢ଼ିବେ ବୋଲି ସପା ପକ୍ଷରୁ ଘୋଷଣା କରାଯାଇଛି। ଏଯାବତ୍‌ ସପା ପକ୍ଷରୁ ଉତ୍ତରପ୍ରଦେଶରେ ୧୯ ଏବଂ ମଧ୍ୟପ୍ରଦେଶରେ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନରେ ମୁଲାୟମ ଦୁଇଟି ନିର୍ବାଚନ ମଣ୍ଡଳୀ ଆଜମଗଡ଼ ଏବଂ ମେନପୁରୀ ମୈନପୁରୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ଏହି ଦୁଇ ଆସନରୁ ନିର୍ବାଚନ ଜିତିଥିଲେ।

ସମ୍ବନ୍ଧିତ ଖବର