ବାଧ୍ୟ ହୋଇ ସରକାରୀ ବଙ୍ଗଳା ଛାଡିଲେ ବାପପୁଅ ମୁଲାୟମ ଓ ଅଖିଳେଶ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଓ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଦି ନିଜର ସରକାରୀ କ୍ୱାର୍ଟର ଛାଡିଛନ୍ତି । ବାପପୁଅ ସୁଲତାନପୁର ରୋଡ ସ୍ଥିତ ଏକ ବଙ୍ଗଳାରେ ରହିବେ । ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ସରକାରୀ ବାସଭବନ ଖାଲି କରିବାକୁ ଉତ୍ତରପ୍ରଦେଶ ସରକାର ନୋଟିସ ଜାରି କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟସରକାର ଏହି ପଦକ୍ଷେପ ନେଇଥିଲେ । ଅଖିଳେଶ ଲକ୍ଷ୍ନୌର ୪-ବିକ୍ରମାଦିତ୍ୟ ମାର୍ଗରେ ଅବସ୍ଥିତ ଏକ ସରକାରୀ କ୍ୱାର୍ଟରରେ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ରହୁଥିଲେ । ଗତ ବର୍ଷ ତାଙ୍କ ଦଳ ନିର୍ବାଚନରେ ହାରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିଥିଲେ ମଧ୍ୟ ସରକାରୀ ବାସଭବନକୁ ଖାଲି କରିନଥିଲେ । କେବଳ ସେ ନୁହେଁ ତାଙ୍କ ପିତା ମୁଲାୟମ ସିଂ ଯାଦବ, ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ମାୟାବତୀ ମଧ୍ୟ ନିଜର ସରକାରୀ ବସଭବନରେ ରହୁଛନ୍ତି । ଏ ସମସ୍ତଙ୍କୁ କ୍ୱାର୍ଟର ଖାଲି କରିବାକୁ କୁହାଯାଇଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମୁଲାୟମ ସିଂ ଯାଦବ ଓ ଅଖିଳେଶ ଆଉ ଦୁଇ ବର୍ଷ ସମୟ ମାଗିଥିଲେ ମଧ୍ୟ କୋର୍ଟ କୌଣସି ରିହାତି ଦେବାକୁ ମନା କରିଦେଇଥିଲେ । ଫଳରେ ବାଧ୍ୟ ହୋଇ ଉଭୟ ଘର ଛାଡିଛନ୍ତି । ଅନ୍ୟପକ୍ଷରେ ମାୟାବତୀଙ୍କ କବଜାରେ ଦୁଇଟି ସରକାରୀ ବଙ୍ଗଳା ଥିଲା । ଗୋଟିଏ ବଙ୍ଗଳା ସେ ଛାଡିଦେଇଛନ୍ତି । କିନ୍ତୁ ଅନ୍ୟଟିକୁ ଛାଡିବାକୁ ମନା କରିଦେଇଛନ୍ତି । ଉକ୍ତ ବଙ୍ଗଳାଟି ସ୍ୱର୍ଗତଃ କାଂଶୀରାମଙ୍କ ସ୍ମୃତି ବହନ କରୁଥିବାରୁ ତାହାକୁ ଏକ ସ୍ମାରକରେ ପରିଣତ କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର