ଆକ୍ରୋଶମୂଳକ ଭାବେ ସରକାରୀ ବଙ୍ଗଳାରେ ଭଙ୍ଗାରୁଜା ମହଙ୍ଗା ପଡ଼ିଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ତଣ୍ଡ ଗଣିବେ ୧୦ ଲକ୍ଷ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ନିଜ ମୁଖ୍ୟମନ୍ତ୍ରିତ୍ୱ କାଳରେ ଅବସ୍ଥାନ କରୁଥିବା ସରକାରୀ ବଙ୍ଗଳାକୁ ଛାଡ଼ିବା ବେଳେ ଭାଙ୍ଗିରୁଜି ନଷ୍ଟ ବିନଷ୍ଟ କରିବା ଘଟଣା ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଅଖିଲେଶଙ୍କ ଏହି କାରନାମା ପାଇଁ ଏବେ ତାଙ୍କ ଠାରୁ କ୍ଷତିପୂରଣ ଆକାରରେ ୧୦ ଲକ୍ଷ ଟଙ୍କା ଆଦାୟ ପାଇଁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା କାଳରେ ଅଖିଲେଶ ଯାଦବ ଲକ୍ଷ୍ନୌର ବିକ୍ରମାଦିତ୍ୟ ମାର୍ଗରେ ଥିବା ଏକ ସରକାରୀ ବଙ୍ଗଳାରେ ରହୁଥିଲେ। ତେବେ, ମୁଖ୍ୟମନ୍ତ୍ରୀ ପଦରୁ ଯିବାପରେ ମଧ୍ୟ ତାଙ୍କର ଏହି ସରକାରୀ ବଙ୍ଗଳାକୁ ଜବରଦଖଲ କରି ରଖିଥିଲେ। ଅଖିଳେଶଙ୍କ ଏହି ଜବରଦଖଲ ବିରୋଧରେ ଉତ୍ତରପ୍ରଦେଶର ଯୋଗୀ ସରକାର ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେବାପରେ ସୁପ୍ରିମ୍‌ କୋର୍ଟ ଏହି ମାମଲାର ବିଚାର କରି ଗତ ମେ ୭ ତାରିଖରେ ଅଖିଳେଶଙ୍କୁ ଜବରଦଖଲରେ ରଖିଥିବା ସରକାରୀ ବଙ୍ଗଳାକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଖିଳେଶ ବିକ୍ରମାଦିତ୍ୟ ମାର୍ଗରେ ନିଜ ଜବରଦଖଲରେ ରଖିଥିବା ସରକାରୀ ବଙ୍ଗଳାକୁ ଖାଲି କରିବା ସହ ଏହାର ଚାବିକୁ ଜୁନ୍‌ ୮ ତାରିଖରେ ଇଷ୍ଟେଟ୍‌ ବିଭାଗ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ।

ଅଖିଳେଶ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବା ପରେ ଇଷ୍ଟେଟ୍‌ ବିଭାଗ କର୍ତ୍ତୃପକ୍ଷ ଯେତେବେଳେ ଯାଇ ସେଇ ବଙ୍ଗଳାରେ ପହଞ୍ଚିଲେ, ସେତେବେଳେ ସେମାନେ ବଙ୍ଗଳାର ଅବସ୍ଥା ଦେଖି ତଟସ୍ଥ ହୋଇ ପଡ଼ିଥିଲେ। କାରଣ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଆକ୍ରୋଶମୂଳକ ଭାବେ ବଙ୍ଗଳା ଖାଲି କରିବା ସମୟରେ ବଙ୍ଗଳାର କାନ୍ଥ, ଚଟାଣ ଠାରୁ ଆରମ୍ଭ କରି ବାଥ୍‌ରୁମ୍‌ ପର୍ଯ୍ୟନ୍ତ ସବୁ କିଛି ଖୋଳି ତାଡ଼ି ଛାରଖାର କରିଦେବା ସହ ବଙ୍ଗଳାରେ ଲାଗିଥିବା ସମସ୍ତ ଫିଟିଙ୍ଗସ୍‌ ଓ ଉପକରଣକୁ ସାଙ୍ଗରେ ଧରି ପଳାଇ ଯାଇଥିଲେ।

ଏଘଟଣା ଯେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦୃଷ୍ଟିକୁ ଆସିଲା, ସେତେବେଳେ ସେ ଅଖିଳେଶଙ୍କ ଦ୍ୱାରା ବଙ୍ଗଳାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଇଷ୍ଟେଟ୍‌ ବିଭାଗ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ  ଯୋଗୀଙ୍କ ନିର୍ଦ୍ଦେଶ ପରେ ଇଷ୍ଟେଟ୍‌ ବିଭାଗ କର୍ତ୍ତୃପକ୍ଷ ସେଇ ବଙ୍ଗଳାର ହୋଇଥିବା କ୍ଷୟକ୍ଷତିର ଆକଳନ କରି ୨୬୬ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିକଟରେ ଦାଖଲ କରିଛନ୍ତି। ଯେଉଁଥିରେ ଅଖିଳେଶଙ୍କ ଦ୍ୱାରା ସେହି ବଙ୍ଗଳାରେ ହୋଇଥିବା କ୍ଷୟକ୍ଷତିର ପରିମାଣ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ରିପୋର୍ଟକୁ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟପାଳ ରାମ ନାଏକଙ୍କ ନିକଟରେ ଦାଖଲ କରିବା ସହ ଏହି ରାଶିକୁ ଅଖିଳେଶ ଯାଦବଙ୍କ ଠାରୁ ଆଦାୟ କରିବା ପାଇଁ ଅନୁମତି ଲୋଡ଼ିଛନ୍ତି। ରାଜ୍ୟପାଳଙ୍କ ଠାରୁ ଅନୁମତି ମିଳିଗଲେ କ୍ଷତିପୂରଣ ବାବଦରେ ୧୦ ଲକ୍ଷ ଟଙ୍କ ଖୁବ୍‌ ଶୀଘ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଠାରୁ ଆଦାୟ କାରଯିବ ବୋଲି କହିଛନ୍ତି ଇଷ୍ଟେଟ୍‌ ବିଭାଗର ଜନୈକ ବରିଷ୍ଠ ଅଧିକାରୀ।

ସମ୍ବନ୍ଧିତ ଖବର