ଭାରତ ମୋହରେ ପଡ଼ିଲେ ଏହି ପାକିସ୍ତାନୀ: ଭୁଲ୍‌ରେ ସୀମା ପାର୍‌ ହୋଇ ୧୪ ମାସ୍‌ ଜେଲ୍‌ ଭୋଗିବା ପରେ ନିଜ ଦେଶକୁ ଯିବାକୁ ଅମଙ୍ଗ ଅସଫକ୍‌

ଜମ୍ମୁ-କଶ୍ମୀର: ‘ସରବ୍‌ଜୀତ୍‌’ ଚଳଚ୍ଚିତ୍ର ଦେଖିଛନ୍ତି? ଯଦି ଦେଖିଥାନ୍ତି ତେବେ ଗୋଟାଏ ଦେଶ ଅନ୍ୟ ଦେଶର ସୀମା ପାର୍‌ କରିବାର ପରିଣାମ କ’ଣ ହୁଏ ତାହା ଆପଣଙ୍କୁ କହିବା ଆବଶ୍ୟକ ପଡ଼ିବନି। ଭାରତୀୟ ଯୁବକ ସରବ୍‌ଜୀତ ମଦ ନିଶାରେ ଭୁଲ୍‌ ବଶତଃ ପଞ୍ଜାବର ଓ୍ଵାଘା ସୀମା ଅତିକ୍ରମ କରି ପାକିସ୍ଥାନ ମାଟିରେ ପାଦ ରଖି ଦେବାର ଦଣ୍ଡ ଭାବେ ତାଙ୍କୁ ଆଜୀବନ କାରାଦଣ୍ଡ ସହ ନିଜ ଜୀବନ ବଳି ଦେବାକୁ ପଡ଼ିଥିଲା। ଖାଲି ସେତିକି ନୁହେଁ, ନିକଟ ଅତୀତରେ ଭାରତୀୟ ସେନା ଅଧିକାରୀ କୁଳଭୂଷଣ ଯାଦବ ବି ସେହିପରି ଏକ ସମାନ ଦଣ୍ଡ ଭୋଗୁଛନ୍ତି। ନାନା ବାଦବିବାଦ ପରେ ବିନା ଦୋଷରେ ପାକିସ୍ତାନ ଜେଲ୍‌ରେ ଦିନ କାଟୁଛନ୍ତି ଭାରତୀୟ ସେନା ଅଧିକାରୀ କୁଳଭୂଷଣ ଯାଦବ।

ଏ ଦୁଇ ଜଣ ଥିଲେ ଭାରତର, ଯିଏକି ଭୁଲ୍‌ରେ ସୀମା ଅତିକ୍ରମ କରି ପାକିସ୍ଥାନ ଦୃଷ୍ଟିରେ କଏଦୀ। ସେହିପରି କେତେକ ସମୟରେ ପାକିସ୍ଥାନୀମାନେ ବି ଏପରି ଭୁଲ୍‌ କରନ୍ତି। ମାତ୍ର ଭାରତର ନିଷ୍ପତ୍ତି ଓ ଦଣ୍ଡ ଦେବାର ତରିକା ସବୁବେଳେ ଭିନ୍ନ ହେବା ସହ ନିଜ ଦେଶର ମହାନତାର ପରିଚୟ ଦେଇଛି। ଆପଣଙ୍କର ମନେ ଥିବ ନିଶ୍ଚୟ ନିକଟରେ ଜଣେ ଯୁବକ ଭୁଲ୍‌ବଶତଃ ଜମ୍ମୁ-କଶ୍ମୀର ସୀମା ପାର୍‌ ହୋଇ ଭାରତକୁ ପଶି ଆସିଥିଲେ। ଭାରତୀୟ ସେନା ଉକ୍ତ ଯୁବକଙ୍କୁ ନୂଆ ପୋଷାକ ପିନ୍ଧାଇ ମିଠା ଦେବା ସହ ସସମ୍ମାନେ ନିଜ ଦେଶକୁ ପଠାଇଥିଲା।।

ଇଏ ତ ସବୁ ପୁରୁଣା କଥା, ଏବେ ହସ୍ତଗତ ହୋଇଥିବା ଖବର ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଘଟଣାଟି ହେଉଛି, ୧୬ ବର୍ଷ ବୟସ୍କ ପାକିସ୍ଥାନୀ ନାବାଳକ ଅସଫକ୍‌ ଅଲ୍ଲୀ ଗତ ବର୍ଷ ଭୁଲ୍‌ କ୍ରମେ ଜମ୍ମୁ-କଶ୍ମୀର ସୀମା ଅତିକ୍ରମ କରି ଭାରତ ପଶି ଆସିଥିଲେ। ସେ ଭାରତୀୟ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ିବାରୁ ତାଙ୍କୁ ଜିଲ୍ଲାର ବାଳ ସୁଧାର କେନ୍ଦ୍ରରେ ରଖା ଯାଇଥିଲା। ସେଠାରେ ସେ ଲୁହା ରଡ ଭାଙ୍ଗି ଖସି ପଳାଇ ଯାଇଥିଲେ। ୧୫ ଦିନ ପରେ ତାଙ୍କୁ ଏକ ମାଲବାହୀ ଟ୍ରେନ୍‌ରୁ ପଞ୍ଜାବର ଭାଟିଣ୍ଡାଠାରୁ ଧରାଯାଇଥିଲା। ଶେଷରେ ତାଙ୍କୁ ୧୪ ମାସ ଜେଲ୍‌ ହୋଇଥିଲା। ନିକଟରେ ତାଙ୍କ ଦଣ୍ଡ ପର୍ଯ୍ୟାୟ ଶେଷ ହେବା ପରେ ତାଙ୍କୁ ଆନୁଷ୍ଠାନିକ ଭାବେ ମୁକ୍ତ କରି ଦିଆଯାଇଛି। ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଅସଫକ୍‌ ଏବେ ଭାରତ ମୋହରେ ଏପରି ପଡ଼ି ଯାଇଛନ୍ତି ଯେ ସେ ନିଜ ଦେଶକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି।

ସେ କହିଛନ୍ତି, ‘ଭାରତ ବହୁତ ଭଲ। ମୁଁ ଭୁଲ୍‌ରେ ସୀମା ଅତିକ୍ରମ କରିବାରୁ ଧରାପଡ଼ିଲି। ମୁଁ ଏଠାରେ ୧୪ ମାସ ରହିଲି। ମୁଁ ଆଉ ଥରେ ଫେରିଯିବାକୁ ଚାହେଁ ନାହିଁ। ମୁଁ ଏଠାରେ ଚାକିରି କରି ରହିବାକୁ ଚାହେଁ। ଆଶା କରୁଛି ଭାରତୀୟ ସରକାର ମୋତେ ଏଠାରେ ରହିବାକୁ ଅନୁମତି ଦେବେ।’

ସମ୍ବନ୍ଧିତ ଖବର