ଆଲଜେରିଆରେ ବିମାନ ଦୁର୍ଘଟଣା : ୨୫୭ ମୃତ

ଆଲଜିୟର୍ସ : ଆଫ୍ରିକୀୟ ରାଷ୍ଟ୍ର ଆଲଜେରିଆରେ ଆଜି ଏକ ସାମରିକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିବାରୁ ୨୫୭ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ବିମାନରେ ଅଧିକାଂଶ ସୈନିକ ଓ ସେମାନଙ୍କ ପରିବାରବର୍ଗ ଯାତ୍ରା କରୁଥିଲେ। ଆଲଜେରିଆ ରାଜଧାନୀ ଆଲଜିୟର୍ସ ନିକଟସ୍ଥ ବୌଫାରିକ୍‌ ସାମରିକ ଘାଟିରୁ ଆଜି ବିମାନଟି ଉଡ଼ାଣ ଆରମ୍ଭ କରିବାର ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଥିଲା।

ରୁଷ୍‌ ନିର୍ମିତ ଏହି ପରିବହନ ବିମାନ ଆଇଆଇ-୭୬ ଆଲଜେରିଆର ଦକ୍ଷିଣ ପଶ୍ଚିମ ସହର ବେଚାର୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଆଲଜିୟର୍ସଠାରୁ ୨୭ କିମି ଦୂର ଏବଂ ବୈଫାରିକ୍‌ ବିମାନଘାଟି ସଂଲଗ୍ନ ଏକ ଖୋଲା ପଡ଼ିଆରେ ବିମାନଟି ଖସିପଡ଼ଥିଲା। ବିମାନରେ ୧୦ ଜଣ କର୍ମଚାରୀ ଏବଂ ୨୪୭ ଯାତ୍ରୀ ରହିଥିଲେ। ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ମୃତକଙ୍କ ମଧ୍ୟରୁ ପ୍ରାୟ ଦୁଇ ସହ ସେନା କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ରହିଥିବା ସରକାର କହିଛନ୍ତି। ଦୁର୍ଘଟଣା ପରେ ତତ୍‌୍‌କ୍ଷଣାଣ ୩ ଶହରୁ ଅଧିକ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରିବା ସମ୍ଭବ ହୋଇନଥିଲା।

ଆଜି ଅପରାହ୍ନ ସୁଦ୍ଧା ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି ଏବଂ ସେଗୁଡ଼ିକୁ ଚିହ୍ନଟ ପାଇଁ ଆଲ୍‌ଜିୟର୍ସ ସେଣ୍ଟ୍ରାଲ୍‌ ହସ୍ପିଟାଲ୍‌କୁ ନିଆଯାଇଛି। ମୃତକଙ୍କ ମଧ୍ୟରେ ୨୬ ଜଣ ପୋଲିସାରିଓ ଗୋଷ୍ଠୀ ସଦସ୍ୟ ରହିଛନ୍ତି।

ପୋଲିସାରିଓ ସଂଗଠନ ପଡ଼ୋଶୀ ରାଷ୍ଟ୍ର ପଶ୍ଚିମ ସାହାରାର ସ୍ୱାଧୀନତା ପାଇଁ ସଂଗ୍ରାମ ଜାରି ରଖିଛି। ଆଲଜେରିଆ ସେନା ସହିତ ଏହି ସଦସ୍ୟମାନେ କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଥିଲେ। ବୌଫାରିକ୍‌ ସାମରିକ ଘାଟିରୁ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ବିମାନରେ କୌଣସି ତ୍ରୁଟି ନଥିବା ସେନା ପକ୍ଷରୁ କୁହାଯାଇଛି । ଏହି ବିମାନ ଦୁର୍ଘଟଣା ଆଲଜେରିଆ ଇତିହାସରେ ସବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି। ଏହା ପୂର୍ବରୁ ୨୦୦୩ ମସିହାରେ ଏୟାର ଆଲଜେରିଆର୍‌ର ଜେଟ୍‌ ବିମାନ ତମନରାସେଟ୍‌ରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟପରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦୨ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୪ ମସିହାରେ ଏକ ସି-୧୩୦ ବିମାନ ଡିଜେବେଲ୍‌ ଫେରଟାସ୍‌ ପର୍ବତରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୭୦ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର