ଅଲ୍‌କାଏଦାର ଭିଡ଼ିଓ ଜାରି: ଦେଶର ପ୍ରମୁଖ ସହରରେ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଅଲକାଏଦା କଶ୍ମୀର ହାସଲ ପାଇଁ ରାଜଧାନୀ ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ସମେତ ଦେଶର ବିଭିନ୍ନ ପ୍ରମୁଖ ସହରରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏଥିପାଇଁ ଏହି ଆତଙ୍କବାଦୀ ସଂଗଠନ ବ୍ଲ୍ୟୁ-ପ୍ରିଣ୍ଟ୍‌ ମଧ୍ୟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବୁଧବାର ଅଲ୍‌ କାଏଦାର ଦ୍ୱିତୀୟ ମୁଖ୍ୟ କମାଣ୍ଡର୍‌ ଉସାମା ମେହମ୍ମୁଦ ଏକ ୪୨ ମିନିିିଟର ଭିଡ଼ିଓ ଜାରି କରିଛି। ଏହି ଭିଡିଓରେ ଦେଶରେ ଥିବା ବିଚ୍ଛିନ୍ନତାବାଦୀଙ୍କ ସମେତ ପାକିସ୍ତାନର ଆତଙ୍କବାଦୀଙ୍କୁ ପ୍ରବର୍ତ୍ତାଇବା ଉଦ୍ଦେଶ୍ୟରେ ମେହମ୍ମୁଦ କହିଛି ଯେ, କଶ୍ମୀର ହାସଲ କରିବାକୁ ହେଲେ ଭାରତର ବଡ଼ ବଡ଼ ସହରଗୁଡିକ ଉପରେ ଆକ୍ରମଣ କରିବାକୁ ହେବ। ଯାହାଫଳରେ ସରକାର, ସେନା ଓ ପୁଲିସ୍‌ର ନଜର ସେହି ସ୍ଥାନଗୁଡ଼ିକରେ ରହିବ ଏବଂ କଶ୍ମୀରର ସୁରକ୍ଷା ବ୍ୟବସ୍ଥା ଅପେକ୍ଷାକୃତ କୋହଳ ହୋଇଯିବ। ଫଳରେ ପାକିସ୍ତାନକୁ କଶ୍ମୀର ଦଖଲ କରିବା ପାଇଁ ବିଶେଷ କଷ୍ଟ ଉଠାଇବାକୁ ପଡ଼ିବନାହିଁ ବୋଲି ସେ କହିଛି। ପାକିସ୍ତାନରେ ବିଭିନ୍ନ ଆତଙ୍କବାଦୀ ସଂଗଠନ ଦ୍ୱାରା ଚାଲିଥିବା ଜିହାଦୀ ଆନ୍ଦୋଳନରେ ଯୋଗଦେବା ସହ କଶ୍ମୀରରେ ଥିବା ବିଚ୍ଛିନ୍ନତାବାଦୀଙ୍କୁ ସହଯୋଗ କରିବା ପାଇଁ ମେହମ୍ମୁଦ ଦେଶର ମୁସ୍‌ଲିମ୍‌ମାନଙ୍କୁ ଆହ୍ଵାନ ଦେଇଛି।

ଏକ ଗଣମାଧ୍ୟମ ଦ୍ୱାରା ଆତଙ୍କବାଦୀଙ୍କ ଏହି ଭିଡିଓ ଜାରି ହେବାପରେ ଭାରତ ସରକାର ବିଭିନ୍ନ ତଦନ୍ତକାରୀ ସଂସ୍ଥା ଅତ୍ୟନ୍ତ ଗୁରୁତ୍ୱର ସହ ଏହାକୁ ଗ୍ରହଣ କରିଛନ୍ତି। ଭାରତ ସରକାର କଶ୍ମୀରରେ ନିୟୋଜିତ କରିଥିବା ୬ ଲକ୍ଷ ସୈନ୍ୟ ଶୃଙ୍ଖଳକୁ ଭାଙ୍ଗିବାକୁ ଅଲ୍‌୍‌ କାଏଦା ପ୍ରଥମ ଥର ପାଇଁ ଏଭଳି ଯୋଜନା କରିଥିବାରୁ ଏ ବାବଦରେ ଗୃହ ମନ୍ତ୍ରାଳୟ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ଏହାପୂର୍ବରୁ ୨୦୧୫ ମସିହାରେ ଅଲ୍‌ କାଏଦା ଏହି ଏକ ଅଡିଓ ଟେପ୍‌ ଜାରିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁସ୍‌ଲିମ୍‌ ବିରୋଧୀ ବୋଲି ଦର୍ଶାଇଥିଲା। ଅଲ୍‌ କାଏଦାର ଏହି ଭିଡିଓ କଶ୍ମୀରରେ ଅଧିକ ହିଂସା ସୃଷ୍ଟିପାଇଁ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବାରୁ ଏ ଦିଗରେ ସୁରକ୍ଷା ବାହିନୀ ମଧ୍ୟ ଅଧିକ ସତର୍କତା ପଦକ୍ଷେପ ଗ୍ରହଣ କରୁଛି । କଶ୍ମୀରରେ ଏବେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରୁଥିବା ଯୁବକଙ୍କ ସଂଖ୍ୟାରେ ହ୍ରାସ ଘଟିଥିବା ବେଳେ ଲସ୍କର, ଜୈସର ବହୁ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏଭଳି ସ୍ଥିତିରେ ଅଧିକ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବାରେ ସେନା ସକ୍ଷମ ହେଲେ କଶ୍ମୀରରେ ଶାନ୍ତି ଫେରିବା ଆଶା ରହିଛି। ତେବେ ପାକ୍‌ ସେନା ସହାୟତାରେ ଆତଙ୍କବାଦୀଙ୍କ ଲଗାତାର ଅନୁପ୍ରବେଶ ଯୋଗୁଁ କଶ୍ମୀର ସ୍ଥିତି ସର୍ବଦା ଜଟିଳ ରହୁଛି।

ସମ୍ବନ୍ଧିତ ଖବର