ଜୟଲଳିତା ଚିକିତ୍ସାଧୀନ ଥିବାବେଳେ ସବୁ ସିସିଟିଭି କ୍ୟାମେରାକୁ ବନ୍ଦ ରଖା ଯାଇଥିଲା: ଆପୋଲୋ ଅଧ୍ୟକ୍ଷ ଡାକ୍ତର ରେଡ୍ଡି

ଚେନ୍ନାଇ: ତାମିଲନାଡ଼ୁର ପୂର୍ବ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ଅସୁସ୍ଥ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେବାପର ଠାରୁ ୫ ଡିସେମ୍ବର ୨୦୧୬, ତାଙ୍କ ମୁତ୍ୟୁ ପର୍ଯ୍ୟନ୍ତ ଦୀର୍ଘ ୭୫ ଦିନ ପାଇଁ ଆପୋଲୋ ହସ୍ପିଟାଲରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାକୁ ବନ୍ଦ କରି ଦିଆଯାଇଥିଲା ବୋଲି କହିଛନ୍ତି ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ପ୍ରଥାପ ସି. ରେଡ୍ଡି। ଖାଲି ଏତିକି ନୁହେଁ, ଅସୁସ୍ଥ ହୋଇ ଜୟଲଳିତା ଆପୋଲୋ ହସ୍ପିଟାଲର ଯେଉଁ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ (ଆସିୟୁ)ରେ ଚିକିତ୍ସିତ ହେଉଥିଲେ, ସେଠାରେ ୨୪ଟି ଶଯ୍ୟା ରହିଥିଲେ ମଧ୍ୟ ଅନ୍ୟ କୌଣସି ରୋଗୀଙ୍କୁ ସେହି ଆଇସିୟୁ ମଧ୍ୟରେ ରଖାଯାଇ ନଥିଲା। ୨୪ ଶଯ୍ୟା ବିଶିଷ୍ଟ ପୂରା ଆଇସିୟୁ ମଧ୍ୟରେ ଏକମାତ୍ର ରୋଗୀ ଥିଲେ ଜୟଲଳିତା ଆଉ ପୂରା ଆଇସିୟୁଟି ଥିଲା ତାଙ୍କ କବ୍‌ଜାରେ ବୋଲି କହିଛନ୍ତି ଆପୋଲୋ ଅଧ୍ୟକ୍ଷ ଡାକ୍ତର ରେଡ୍ଡି।
ଆପୋଲୋ ହସ୍ପିଟାଲରେ ଆୟୋଜିତ ଏକ ଅନ୍ତର୍ଜାତୀୟ କର୍ମଶାଳାର ବିବରଣୀ ସଂଗ୍ରହ କରିବାକୁ ଆସିଥିବା ସାମ୍ବାଦିକମାନଙ୍କୁ ଏହି ତଥ୍ୟ ପ୍ରଦାନ କରିବା ସହ ଜୟଲଳିତାଙ୍କ ଚିକିତ୍ସା ସଂପର୍କିତ ସମସ୍ତ ଦସ୍ତାବିଜ୍‌, ଜୟଲଳିତାଙ୍କ ମୁତ୍ୟୁ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍‌ ଏ ଅରୁମୁଘାସ୍ୱାମୀ କମିଶନଙ୍କ ନିକଟରେ ହସ୍ପିଟାଲ ପକ୍ଷରୁ ଦାଖଲ କରି ଦିଆଯାଇ ସାରିଛି ବୋଲି କହିଛନ୍ତି ଆପୋଲୋ ଅଧ୍ୟକ୍ଷ ଡାକ୍ତର ରେଡ୍ଡି।

ଯେତେବେଳେ ସାମ୍ବାଦିକମାନେ ପ୍ରଶ୍ନ କଲେ ଯେ କ’ଣ ଦସ୍ତାବିଜ୍‌ ସହ ସିସିଟିଭି ଫୁଟେଜ୍‌ ମଧ୍ୟ କମିଶନଙ୍କ ନିକଟରେ ଦାଖଲ କରାଯାଇଛି କି ବୋଲି; ସେତେବେଳେ ଆପୋଲୋ ଅଧ୍ୟକ୍ଷ ଡାକ୍ତର ରେଡ୍ଡି କହିଲେ, ‘ମୁଁ ଦୁଃଖିତ। ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ସେମାନେ ୭୫ ଦିନ ପାଇଁ ସିସିଟିଭି କ୍ୟାମେରା ସୁଇଚ୍‌କୁ ବନ୍ଦ କରି ରଖିଥିଲେ। ଯେମିତି ଜୟଲଳିତା ଆଇସିୟୁ ଭିତରକୁ ପଶିଲେ, ସେତେବେଳେ ସେମାନେ ଆଇସିୟୁର ସମସ୍ତ ପ୍ରବେଶ ପଥ ବନ୍ଦ କରିଦେବା ସହ ଅନ୍ୟ ସମସ୍ତ ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ଛିନ୍ନ କରି ଦେଇଥିଲେ। ସେ ଆଇସିୟୁ ମଧ୍ୟରେ ୨୪ଟି କୋଠରୀ ସହ ୨୪ଟି ଶଯ୍ୟା ରହିଥିଲେ ମଧ୍ୟ ସେସବୁକୁ ସେମାନେ ନିଜ ଅକ୍ତିଆରକୁ ନେଇ ଯାଇଥିଲେ। ସେ ଆଇସିୟୁ ମଧ୍ୟରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀମାନଙ୍କୁ ଅନ୍ୟ ଆଇସିୟୁକୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା। ୨୪ ଶଯ୍ୟା ବିଶିଷ୍ଟ ପୂରା ଆଇସିୟୁରେ ଏକମାତ୍ର ଚିକିତ୍ସାଧୀନ ରୋଗୀ ଥିଲେ ଜୟଲଳିତା। ସେମାନେ ସିସିଟିଭି କ୍ୟାମେରାଗୁଡ଼ିକର ସୁଇଚ୍‌କୁ ବନ୍ଦ କରିଦେବା ସହ ସିସିଟିଭି କ୍ୟାମେରାଗୁଡ଼ିକୁ କାଢ଼ି ବାହାର କରି ଦେଇଥିଲେ। ସେମାନେ ଚାହୁଁ ନଥିଲେ ତାଙ୍କୁ କେହି ଦେଖନ୍ତୁ ବୋଲି। ତାଙ୍କୁ ଭେଟିବା ପାଇଁ କାହାରିକି ଅନୁମତି ନଥିଲା।’

ଅସୁସ୍ଥ ହୋଇପଡ଼ିବା ପରେ ଜୟଲଳିତା ୨୦୧୬ ସେପ୍ଟେମ୍ବର ୨୨ ତାରିଖରେ ଆସି ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ହସ୍ପିଟାଲର ଡାକ୍ତରମାନେ ତାଙ୍କର ଆରୋଗ୍ୟ ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ ହେଲେ ଦୀର୍ଘ ୭୫ ଦିନକାଳ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ୬୯ ବର୍ଷ ବୟସ୍କା ଜୟଲଳିତାଙ୍କର ଡିସେମ୍ବର ୪ରେ ହୃଦାଘାତରେ ମୁତ୍ୟୁ ଘଟିଥିଲା। ଏହାପର ଦିନ ହସ୍ପିଟାଲ ପକ୍ଷରୁ ଜୟଲଳିତାଙ୍କୁ ମୃତ ଘୋଷଣା କରା ଯାଇଥିଲା ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି ଆପୋଲୋ ଅଧ୍ୟକ୍ଷ ଡାକ୍ତର ରେଡ୍ଡି।
ତେବେ, ଆପୋଲୋ ଅଧ୍ୟକ୍ଷ ଡାକ୍ତର ରେଡ୍ଡିଙ୍କ ଏ ବୟାନ ଜୟଲଳିତା ମୁତ୍ୟୁ ଘଟଣାକୁ ଆହୁରି ରହସ୍ୟାବୃତ୍ତ କରି ଦେଇଛି। କାରଣ ଯଦି ଏତେ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଓ ସିସଟିଭି କ୍ୟାମେରା ବନ୍ଦ ଥିଲା ତେବେ ଜୟଲଳିତା ଆପୋଲୋରେ ଚିକିତ୍ସାଧୀନ ଥିବା ଅବସ୍ଥାର ଯେଉଁ ଭିଡିଓ ଚିତ୍ର ଦୀନାକରନ୍‌ଙ୍କ ପକ୍ଷରୁ ଛଡ଼ାଯାଇଛି ତାହା ଆସିଲା କୁଆଡ଼ୁ ଓ କେମିତି?

ସମ୍ବନ୍ଧିତ ଖବର