ସବୁ ଥଣ୍ଡା ଜ୍ବରର କାରଣ କରୋନା ଭାଇରସ୍‌ ନୁହେଁ, ସ୍ବାସ୍ଥ୍ୟ ମନ୍ତ୍ରାଳୟ ହେଲ୍‌ପଲାଇନ୍‌ ନମ୍ବରକୁ ଫୋନ୍‌ କରନ୍ତୁ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ନେଇ ଭୟ ବଢ଼ିଥିବାରୁ ଏବେ ସାଧାରଣ ଥଣ୍ଡ‌ା, କାଶ ହେଲେ ବି ଲୋକମାନଙ୍କ ମଧ୍ୟରେ ଭୟ ବଢ଼ୁଛି। ସାଧାରଣ ଥଣ୍ଡା କାଶ ହେଲେ ଯେମିତି ଲକ୍ଷଣ ଦେଖା ଦେଉଛି କରୋନାରେ ବି ଠିକ୍‌ ସେମିତି ଲକ୍ଷଣ ଦେଖା ଦେଉଛି। ଅତି ସଙ୍କଟାପନ୍ନ ହେଲେ ଏହା ନିମୋନିଆର ରୂପ ନେଉଛି। ସାଧାରଣ ଥଣ୍ଡା କାଶରେ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ବୋଲି ଜାଣିବାର ଅନେକ ଦିନ ପୂର୍ବରୁ ବି ଭାଇରସ୍‌ ବ୍ୟାପିଥାଏ। କରୋନା ଭାଇରସ୍‌ ବି ଠିକ୍‌ ସମାନ ଢଙ୍ଗରେ ବ୍ୟାପୁଛି ବୋଲି ଜଣାପଡ଼ିଛି। ସାଧାରଣ ଥଣ୍ଡା ଏବଂ କାଶ ଯେ କୌଣସି ଭାଇରସ୍‌ରୁ ହୋଇପାରେ। କିନ୍ତୁ କରୋନା କେବଳ ଗୋଟିଏ ଭାଇରସ୍‌ ତଥା ନଭେଲ ୨୦୧୯ କରୋନାଭାଇରସ୍‌ରୁ ହିଁ ହେଉଛି। ସାଧାରଣ ଥଣ୍ଡା ଓ କାଶ ପାଇଁ ଟିକା ଅଛି କିନ୍ତୁ କରୋନା ପାଇଁ କୌଣସି ଟିକା ନାହିଁ।

ଯେକୌଣସି ବ୍ୟକ୍ତି ଯଦି ଥଣ୍ଡା, କାଶ ସହ ଜ୍ବରରେ ପୀଡ଼ିତ ହୁଅନ୍ତି ତା’ର ମାନେ ନୁ‌ହେଁ ଯେ ସେ କରୋନା ଆକ୍ରାନ୍ତ। କେବଳ ଯେଉଁମାନେ ପ୍ରଭାବିତ ଦେଶକୁ ଗସ୍ତ କରିଛନ୍ତି ଏବଂ ଯେଉଁମାନେ ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ଯଦି ସାଧାରଣ ଜ୍ବର ହେଲେ ଆପଣ କରୋନା ପାଇଁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଚାହୁଛନ୍ତି ତେବେ ସିଧାସଳଖ ହସ୍ପିଟାଲ୍‌ ଯାଆନ୍ତୁ ନାହଁ।। ପ୍ରଥମେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ହେଲ୍‌ପଲାଇନ୍‌ ନମ୍ବରରେ ଫୋନ୍‌ କରନ୍ତୁ। ତୁରନ୍ତ ଜଣେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଆପଣଙ୍କୁ ଭେଟିବେ। ଯଦି ଭାଇରସ୍‌ ସଂକ୍ରମିତ ହେବାର ଆଶଙ୍କା ଅଧିକ ଅଛି ତେବେ ଆପଣଙ୍କୁ ନିର୍ଦ୍ଦିଷ୍ଟ ହସ୍ପିଟାଲ୍‌କୁ ପରୀକ୍ଷା ପାଇଁ ନିଆଯିବ। ସରକାର ସନ୍ଦିଗ୍ଧଙ୍କ ପାଇଁ ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି। ସର୍ବସାଧାରଣ ଗମନାଗମନକୁ ମନା କରାଯାଇଛି।

ସମ୍ବନ୍ଧିତ ଖବର