ଶପଥ ନେଲେ ସୁପ୍ରିମ‌୍ କୋର୍ଟର ୪ ବିଚାରପତି, ସବୁ ବିଚାରପତି ପଦବି ପୂରଣ ହେଲା

ନୂଆଦିଲ୍ଲୀ,: ସୁପ୍ରିମ୍‌ କୋର୍ଟର ୪ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ନେଇଛନ୍ତି। ଫଳରେ ସୁପ୍ରିମ୍‌ କୋର୍ଟର ସମସ୍ତ ବିଚାରପତି ପଦବି ପୂରଣ ହୋଇଛି। ପ୍ରଥମ ଥର ପାଇଁ ସୁପ୍ରିମ୍‌ କୋର୍ଟର ସମସ୍ତ ବିଚାରପତି ପଦବି ସଂଖ୍ୟା ପୂରଣ ହୋଇଛି। ବିଚାରପତି କ୍ରିଷ୍ଣ ମୁରାରୀ, ଏସ. ଆର. ଭଟ୍ଟ, ଭି ରାମସୁବ୍ରମଣ୍ୟନ୍ ଏବଂ ହୃଷିକେଶ ରୟ। ଜଷ୍ଟିସ ଭି ରାମସୁବ୍ରମଣ୍ୟନ୍ ପୂର୍ବରୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବାବେଳେ ହୃଷିକେଶ ରୟ କେରଳ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ। ସେହିଭଳି ଏସ ଆର ଭଟ୍ଟ ରାଜସ୍ଥାନ ହାଇକୋର୍ଟ ଏବଂ କ୍ରିଷ୍ଣ ମୁରାରୀ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ଏହା ପୂର୍ବରୁ କାର୍ଯ୍ୟ କରୁଥିଲେ। ଚଳିତମାସ ୧୮ ତାରିଖରେ ସୁପ୍ରିମ କୋର୍ଟ କଲେଜିୟମର ବିଚାରପତି ନିଯୁକ୍ତି ସଂକ୍ରାନ୍ତ ସୁପାରିସକୁ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଥିଲେ। ସର୍ବୋଚ୍ଚ ଅଦାଲତରେ ୫୮,୬୬୯ଟି ମାମଲା ପଡ଼ି ରହିଥିବା ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ନେବା ଲାଗି ପ୍ରଧାନ ବିଚାରପତି ଗୋଗଇ ପ୍ରଧାନମନ୍ତ୍ରୀଙ୍କୁ ୩ଟି ଚିଠି ଲେଖିଥିଲେ।

ଚଳିତ ବର୍ଷ ମେ ମାସରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୁପ୍ରିମ୍‌ କୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ପାଇଁ ଚିଠି ଲେଖିଥିଲେ। ଏଥିସହିତ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି କରିବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରିଥିଲେ। ଜୁଲାଇ ୩୧ ତାରିଖରେ ସୁପ୍ରିମ୍‌ କୋର୍ଟ ସୁପ୍ରିମ୍‌ କୋର୍ଟର ବିଚାରପତିଙ୍କ ସଂଖ୍ୟା ୩୦ରୁ ୩୩କୁ ବୃଦ୍ଧି କରିବାକୁ ମଞ୍ଜୁରି ପ୍ରଦାନ କରିଥିଲେ। ଫଳରେ ପ୍ରଧାନ ବିଚାରପତିଙ୍କୁ ମିଶାଇଲେ ସୁପ୍ରିମ୍‌ କୋର୍ଟ ବିଚାରପତି ସଂଖ୍ୟା ୩୪ରେ ପହଞ୍ଚିଛି। ଅଗଷ୍ଟ ୭ ତାରିଖରେ ସୁପ୍ରିମ୍‌ କୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ବିଲ୍-୨୦୧୯ ଲୋକସଭାରେ ଗୃହୀତ ହୋଇଥିଲା ଏବଂ ଅଗଷ୍ଟ ୧୦ ତାରିଖରେ ରାଷ୍ଟ୍ରପତି ଏହି ଆଇନରେ ମୋହର ମାରିଥିଲେ।

ସମ୍ବନ୍ଧିତ ଖବର