ସଂସଦ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ : ୯ଟି ପ୍ରସଙ୍ଗକୁ ଗୁରୁତ୍ବ ଦେବ ବିଜେଡି

ନୂଆଦିଲ୍ଲୀ : ଆସନ୍ତାକାଲି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ଏଠାରେ ସର୍ବଦଳୀୟ ବୈଠକ ଡକାଯାଇଛି। ଏହି ବୈଠକରେ ଯୋଗଦେଇ ସଂସଦ ଅଧିବେଶ‌ନରେ ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେବା ସହିତ ମହିଳା ସଂରକ୍ଷଣ ବିଲ୍‌ ସମେତ ୯ଟି ପ୍ରସଙ୍ଗକୁ ଗୁରୁତ୍ବ ଦେବ ବୋଲି ବିଜେଡି କହିଛି।

ସଂସଦୀୟ ହାଉସ୍‌ଠାରେ ଏହି ବୈଠକ ବସିଥିଲା, ଯେଉଁଥି‌େର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଲୋକସଭାରେ ଦଳର ସଂସଦୀୟ ନେତା ଭର୍ତ୍ତୃହରି ମହତାବ ଯୋଗଦେଇଥିଲେ। ବୈଠକରେ ଶ୍ରୀ ମହତାବ ବିଜେଡି ପକ୍ଷରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ତିତ୍‌ଲି କ୍ଷୟକ୍ଷତିରେ ଅନ୍ୟ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର କ୍ଷୟକ୍ଷତି ବାବଦରେ ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ଓଡ଼ିଶାକୁ ପ୍ରଦାନ କରାଯାଇନଥିବା, ତଥା ଧାନର ସର୍ବନିନ୍ନ ସହାୟକ ମୂଲ୍ୟ ଭଳି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯିବାକୁ ନେଇ ବୈଠକରେ ଦୃଷ୍ଟିଆକର୍ଷଣ କରିଥିଲେ।

ବୈଠକ ପରେ ସେ କହିଥିଲେ ଯେ, ଚଳିତ ଶୀତକାଳୀନ ଅଧିବେଶନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍‌କୁ ସଂସଦରେ ଅନୁମୋଦନ କରିବା ପାଇଁ ଦଳ ଉପସ୍ଥାପନ କରିବ ବୋଲି କହିଥିଲେ। ଆହୁରି ମଧ୍ୟ ‌େସ କହିଥିଲେ ଯେ, ବିଜେଡି ଦ୍ବାରା ମହିଳା ସଂରକ୍ଷଣ ବିଲକୁ ନୂଆ ଢଙ୍ଗରେ ଉପସ୍ଥାପନ କରାଯିବ। ସଂସଦ ଅଧିବେଶନ‌ର ଡିସେମ୍ବର ୨୪ ଓ ୨୬ ତାରିଖକୁ ଛୁଟି ଘୋଷଣା କରିବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିବାର ମହତାବ ସୂଚନା ଦେଇଥିଲେ।

ଅପରପକ୍ଷେ ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁଙ୍କ ଦ୍ବାରା ରାଜ୍ୟସଭାରେ ଶୀତକାଳୀନ ଅଧିବେଶନକୁ ସୂଚାରୁରୂପେ ଚଳାଇବାକୁ ନେଇ ରାଜ୍ୟସଭାରେ ବିଭିନ୍ନ ଦଳର ନେତାମାନଙ୍କୁ ଡକାଯାଇଥିବା ବୈଠରେ ବିଜେଡିର ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗ‌ ଦେଇଥିଲେ। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଗୃହ ପରିଚାଳନାରେ ‌ସହଯୋଗ ପାଇଁ ବିଜେଡି ଦୃଢ଼ ପ୍ରତିଶ୍ରୁତି ଦେଇଥିବାର ପ୍ରସନ୍ନ ଆଚାର୍ଯ୍ୟ ଅବଗତ କରାଇଥିଲେ। ଗୃହକାର୍ଯ୍ୟ ଠିକ୍‌ରେ ଚାଲୁ ବୋଲି ବିଜେଡି ପକ୍ଷରୁ ବୈଠକରେ ମତବ୍ୟକ୍ତ କରାଯାଇଥିଲା। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ବିଜେଡି ଦ୍ବାରା ଚଳିତ ଶୀତକାଳୀନ ଅଧିବେଶନରେ ଯେଉଁ ୯ଟି ପ୍ରସଙ୍ଗ ସଂସଦରେ ଉପସ୍ଥାପନ କରାବା ପାଇଁ‌ ସେଗୁଡ଼ିକୁ ‌ଜୋର୍‌େସାର୍‌ରେ ଉପସ୍ଥାପନ କରାଯିବା ପାଇଁ ପ୍ରୟାସ କରାଯିବ।

ଏଥିସହିତ, ଟ୍ରିପଲ୍‌ ତଲାକ ବିଲ୍‌କୁ ରାଜ୍ୟସଭାରେ ଗୃହୀତ କରିବା ପାଇଁ ‌ବିଜେଡି ସମର୍ଥନ କରିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ।

ସମ୍ବନ୍ଧିତ ଖବର