ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ଡକାଇଥିବା ସର୍ବଦଳୀୟ ବୈଠକ ବାତିଲ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ଏନଏନ ବୋରାଙ୍କ ପକ୍ଷରୁ ଆଜି ଡକାଯାଇଥିବା ସର୍ବଦଳୀୟ ବୈଠକକୁ ବାତିଲ କରାଯାଇଛି । ତେବେ ଏଥିପାଇଁ ରାଜ୍ୟପାଳଙ୍କ ଅଫିସ ତରଫରୁ କୌଣସି କାରଣ ଦର୍ଶାଯାଇନାହିଁ । ଆଜି ସଂଧ୍ୟାରେ ଏହି ବୈଠକ ହେବାର ଥିଲା । ରାଜ୍ୟର ବିଗିଡ଼ିଯାଇଥିବା ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଥିଲା । ବୈଠକକୁ ପିଡିପି, ନ୍ୟାସନାଲ କନଫରେନ୍ସ, ପାନ୍ଥର୍ସପାର୍ଟି, କଂଗ୍ରେସ, ବିଜେପି ଆଦି ଦଳଙ୍କୁ ଡକାଯାଇଥିଲା । ପରବର୍ତ୍ତି ସମୟରେ କେବେ ଏହି ବୈଠକ ହେବ ତାହା ସ୍ପଷ୍ଟ ହୋଇନାହିଁ । କାଶ୍ମୀରରେ ସରକାର ଭାଙ୍ଗିବା ପରେ ଏବେ ରାଜ୍ୟପାଳ ଶାସନ ଚାଲିଛି । ଏହା ସହିତ ରାଜ୍ୟପାଳ ବିନାସଭାକୁ ମଧ୍ୟ ବାତିଲ କରିଦେଇଛନ୍ତି । ରାଜ୍ୟରେ ଏକ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ରାଜ୍ୟପାଳ ଶାସନ ଚାଲିବ । ଇତି ମଧ୍ୟରେ ରାଜ୍ୟପାଳ ବରିଷ୍ଠ ଆଇପିଏସ ତଥା ଆତଙ୍କବାଦ ବିରୋଧୀ ଅପରେସନରେ ଅଭିଜ୍ଞ ଅଫିସର ବିଜୟ କୁମାରଙ୍କୁ ନିଜର ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ଏହା ସହିତ ବିବି ବ୍ୟାସଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦିଆଯାଇଛି । ରାଜ୍ୟପାଳ ବୋରା ଙ୍କ କାର୍ଯ୍ୟକାଳ ଚଳିତ ମାସ ୨୫ ତାରିଖରେ ସମାପ୍ତ ହେବାର ଥିଲା, କିନ୍ତୁ ତାଙ୍କ କାର୍ଯ୍ୟକାଳ ବଢାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର