ଆଜିଠୁ ବଜେଟ୍‌ ଅଧିବେଶନ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

କୃଷି ସଙ୍କଟ ଏବଂ ବେକାରୀ ପ୍ରସଙ୍ଗ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ: ୧୭ତମ ଲୋକସଭାର ପ୍ରଥମ ତଥା ବଜେଟ୍‌ ଅଧିବେଶନ ଆସନ୍ତାକାଲି (ସୋମବାର)ଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବଜେଟ୍‌ ଅଧିବେଶନକୁ ସୁରୁଖରୁରେ ଚଳାଇବା ଏବଂ ଗଠନମୂଳକ ବିତର୍କ ପାଇଁ ସରକାର ସବୁ ଦଳର ସହାୟତା ଲୋଡ଼ିଛନ୍ତି। ରାଜ୍ୟ‌ସଭାରେ ଗୁରୁତ୍ବପୂର୍ଣ୍ଣ ବିଲ୍‌ଗୁଡ଼ିକୁ ଗୃହୀତ କରାଇବା ପାଇଁ ସରକାର ସହଯୋଗ କାମନା କରିଛନ୍ତି। ସୂଚନାଯୋଗ୍ୟ ରାଜ୍ୟସଭାରେ ଏନ୍‌ଡିଏର ସଂଖ୍ୟାଗରିଷ୍ଠତା ନାହିଁ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଟିଏମ୍‌ସି ନେତା ଡେରେକ୍‌ ଓବ୍ରେନ, କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଏନ୍‌ସିପି ନେତା ସୁପ୍ରିୟା ସୁଲେ, ନେସ୍‌ନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା, ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ସମେତ ଅନୁପ୍ରିୟା ପଟେଲ, ଅଧିରଂଜନ ଚୌଧୁରୀ, ରାମଗୋପାଳ ଯାଦବ, ଡି. ରାଜା. ସଂଜୟ ସିଂହ, ଟିଆର୍‌.ବାଲୁ ପ୍ରମୁଖ ଉପସ୍ଥିତ ଥିଲେ। ଲୋକସଭାରେ ଏନ୍‌ଡିଏ ନିକଟରେ ୫୪୩ରୁ ୩୫୩ ସଦସ୍ୟ ଅଛନ୍ତି। ରାଜ୍ୟସଭାରେ ୨୪୫ରୁ ୧୦୨ ସଦସ୍ୟ ଏନ୍‌ଡିଏର ଅଛନ୍ତି। ଏଥର ସଂସଦରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିବ ଏବଂ ସେମାନଙ୍କଠାରୁ ନୂତନ ଚିନ୍ତନର ଆଶା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବୈଠକରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ନେତାମାନେ ଦେଶରେ ଦେଖାଦେଇଥିବା କୃଷି ସଙ୍କଟ, ମରୁଡ଼ି ଏବଂ ବେକାରୀ ସମସ୍ୟା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକ ପରେ କଂଗ୍ରେସ ନେତା ଗୁଲାମନବୀ କହିଛନ୍ତି ଯେ ସରକାରଙ୍କ ସବୁ ବିଲ୍‌କୁ ଆମେ ବିରୋଧ କରୁନାହୁଁ। କୃଷକଙ୍କ ସମସ୍ୟା ଏବଂ ବେକାରୀ ପ୍ରସଙ୍ଗରେ ଅଧିକ ଆଲୋଚନା ହେବା ଉଚିତ ବୋଲି ସେ କହିଛନ୍ତି। କେନ୍ଦ୍ର-ରାଜ୍ୟ ସଂପର୍କ ଏବଂ ନିର୍ବାଚନୀ ବ୍ୟବସ୍ଥାରେ ସଂସ୍କାର ପାଇଁ ବୈଠକରେ ଟିଏମ୍‌ସି ନେତା ଡେରେକ୍‌ ଓବ୍ରେନ୍‌ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧିତ ଖବର