ମୋଦୀଙ୍କୁ ଆହ୍ଲାବାଦ୍ ହାଇକୋର୍ଟଙ୍କ ନୋଟିସ୍
ଆହ୍ଲାବାଦ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଆହ୍ଲାବାଦ୍ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ବାରଣାସୀ ନିର୍ବାଚନ ମଣ୍ଡଳୀରେ ମୋଦୀଙ୍କ ନିର୍ବାଚନକୁ ଚ୍ୟାଲେଂଜ କରି ପୂର୍ବତନ ବିଏସଏଫ୍ ଯବାନ ତେଜ ବାହାଦୁର ଯାଦବ ଆହ୍ଳାବାଦ୍ ହାଇକୋର୍ଟରେ ଆବେଦନ କରିଥିଲେ। ବାରଣାସୀ ଆସନରୁ ମୋଦୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାପାଇଁ ଯାଦବ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଗତ ଲୋକସଭା ନିର୍ବାଚନରେ ଯାଦବଙ୍କୁ ବାରଣାସୀ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ କରିଥିଲା। କିନ୍ତୁ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ତାଙ୍କ ପ୍ରାର୍ଥିପତ୍ର ନାକଚ ହେବାରୁ ସେ ନିର୍ବାଚନ ଲଢ଼ିପାରିନଥିଲେ। ତେବେ ଆଜି ଆହ୍ଲାବାଦ୍ ହାଇକୋର୍ଟରେ ଜଷ୍ଟିସ୍ ଏମ୍କେ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାରେ ମୋଦୀଙ୍କୁ ନୋଟିସ୍ କରିଛନ୍ତି ଏବଂ ଆସନ୍ତା ଅଗଷ୍ଟ ୨୧ ତାରିଖରେ ମାମଳାର ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।