ହ୍ଵାଟ୍‌ସଆପ୍‌ ମେସେଜ୍‌ ଦେଖି ଉଡ଼ିଲା ଯୁବକଙ୍କ ହୋସ,ଆଇଏସଆଇଏସ୍‌ ଏଜେଣ୍ଟ ହେବା ସହ ଗୁଇନ୍ଦା ବିଭାଗ ବିଷୟରେ ସୂଚନା ଦେଲେ ୫ହଜାର ଡ଼ଲାର ଦେବାର ଅଫର ଦେଲା ଆତଙ୍କବାଦୀ ସଂଗଠନ

ଏହ୍ଲାବାଦ୍‌ : ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଏହ୍ଲାବାଦ୍‌ର ଜଣେ ଯୁବକଙ୍କୁ ନିଜର ଏଜେଣ୍ଟ କରିବା ପାଇଁ ଅଫର ଦେଇଥିବା ଜଣା ପଡ଼ିଛି । ଯଦି ଯୁବକଙ୍କ ଜଣଙ୍କ ତାଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା ସଂପର୍କରେ ସବୁ ସୂଚନା ଦିଅନ୍ତି ତେବେ ତାଙ୍କୁ ପ୍ରତି ମାସରେ ୫ହଜାର ଡ଼ଲାର ଦିଆଯିବ ବୋଲି ହ୍ଵାଟସ୍‌ଆପ୍‌ ମାଧ୍ୟମରେ ବାର୍ତ୍ତା ପଠାଇଛି ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ସଂଗଠନ । ଏହା ସହ ଯଦି ସେମାନଙ୍କ କଥା ପାଳନ ନ କରାଯାଏ ତେବେ ପରିସ୍ଥିତି ଭୟାବହ ହେବ ବୋଲି ମଧ୍ୟ ଆଇଏସ୍‌ଆଇଏସ୍‌ ତାଙ୍କୁ ଧମକ ଦେଇଥିବା ସୂଚନା ମିଳିଛି । ଏହି ବାର୍ତ୍ତା ଆସିବା ପରେ ଯୁବକ ଏବଂ ତାଙ୍କ ପରିବାର ଲୋକ ଭୟଭୀତ ହୋଇ ପଡ଼ିଥିବା ଜଣା ପଡ଼ିଛି । ଏ ନେଇ ଯୁବକ ଜଣଙ୍କ ପୁଲିସକୁ ଜଣାଇବା ପରେ ପୁଲିସ ଏ ଖବର ତୁରନ୍ତ ଗୁଇନ୍ଦା ବିଭାଗକୁ ଜଣାଇଛି ।

oneindia.com

ଏସ୍‌ଏସ୍‌ପି ନୀତୀନ ତିଓ୍ଵାରୀଙ୍କ କହିବା ଅନୁଯାୟୀ, ଅଭିଯୋଗ କରିଥିବା ଯୁବକ ଜଣଙ୍କ ମୁଣ୍ଡେରା ଅଞ୍ଚଳର ବୋଲି ଜଣା ପଡ଼ିଛି । ମହାରାଷ୍ଟ୍ରରେ ଯୁବକ ଜଣଙ୍କ ଚାକିରି କରୁଥିବା ବେଳେ କିଛି ଦିନ ହେବ ସେ ଏହ୍ଲାବାଦ୍‌ ଆସିଥିଲେ । ଗୁରୁବାର ଦିନ ସେ ମୋବାଇଲରେ ଫିଲ୍ମ ଦେଖୁଥିବା ବେଳେ ହଠାତ୍‌ ତାଙ୍କ ହ୍ଵାଟ୍‌ସଆପ୍‌ରେ ଏକ ଗ୍ରୁପରୁ ମେସେଜ୍‌ ଆସିଥିଲା । ମେସେଜ ଦେଖିବା ପରେ ତାଙ୍କ ନମ୍ବର ଆଇଏସ୍‌ଆଇଏସ୍‌ ଗ୍ରୁପ୍‌ରେ ଯୋଡ଼ା ଯାଇଥିବା ସେ ଦେଖିବାକୁ ପାଇଥିଲେ । ଏହି ମେସେଜ ଆସିବା ପରେ ପରେ ଆମେରିକା ନମ୍ବରରୁ ମଧ୍ୟ ତାଙ୍କ ପାଖକୁ ଫୋନ ଆସୁଥିବା ସେ ଅଭିଯୋଗ କରିଛନ୍ତି । ଏହି ମାମଲା ରାଷ୍ଟ୍ରୀୟ ସୁରକ୍ଷା ସହିତ ଜଡ଼ିତ ଥିବାରୁ ମାମଲା ରୁଜୁ କରାଯାଇ ସାଇବର ସେଲ୍‌କୁ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର