ସୁପ୍ରିମ୍‌ କୋର୍ଟରେ ମାମଲା ଆବଣ୍ଟନ; ଶାନ୍ତି ଭୂଷଣଙ୍କ ପକ୍ଷରୁ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲ କହିଲେ ଏହା ଅରାଜକତା ସୃଷ୍ଟି କରିବ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ବିଚାରପତିମାନଙ୍କ ମଧ୍ୟରେ ମାମଲା ଆବଣ୍ଟନ ସଂପର୍କରେ ଦେଶର ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣ ସୁପ୍ରିମ୍‌ କୋର୍ଟରେ ଆଗତ କରିଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ପରେ ଏହି ମାମଲାରେ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି ସୁପ୍ରିମ୍‌ କୋର୍ଟଙ୍କ ଏକ ଖଣ୍ଡପୀଠ।

ପୂର୍ବରୁ ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏ କେ ସିକ୍ରି ଓ ଜଷ୍ଟିସ୍‌ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପକ୍ଷରୁ ଆଗତ ଏହି ଜନସ୍ୱାର୍ଥ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହି ମାମଲର ବିଚାରରେ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲ ଓ ଅତିରିକ୍ତ ସଲିସିଟର ଜେନେରାଲଙ୍କ ସହଯୋଗ ଲୋଡ଼ିଥିଲେ।

ତେବେ, ଆଜି ଏହି ମାମଲାର ଶୁଣାଣି କାଳରେ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲ ଖଣ୍ଡପୀଠଙ୍କ ନିକଟରେ ଆଗତ ମାମଲାକୁ ବିରୋଧ କରି କହିଥିଲେ ଯେ ଏହା ଅରାଜକତା ସୃଷ୍ଟି କରିବ। ଏଥିସହ ବିଚାରପତିମାନଙ୍କ ମଧ୍ୟରେ ମାମଲା ଆବଣ୍ଟନ ନେଇ କଲେଜିୟମ ନିଷ୍ପତ୍ତି ନେବା ଉଚିତ୍‌ ବୋଲି ସେ ଦର୍ଶାଇଥିଲେ। ସେ କହିଥିଲେ ଯେ ସୁପ୍ରିମ୍‌ କୋର୍ଟରେ ଆଗତ ମାମଲାର ବିଚାର ପାଇଁ ବିଚାରପତିମାନଙ୍କ ମଧ୍ୟରେ ଆବଣ୍ଟନ କେବଳ ମାତ୍ର ପ୍ରଧାନ ବିଚାରପତିଙ୍କ ଦ୍ୱାରା ହିଁ ହୋଇ ଆସୁଛି। କାରଣ, ପ୍ରଧାନ ବିଚାରପତି ହିଁ ହେଉଛନ୍ତି, ‘ମାଷ୍ଟର ଅଫ୍‌ ରୋଷ୍ଟର’। ଏକ୍ଷେତ୍ରରେ ଯଦି ବିଚାରପତିମାନଙ୍କ ମଧ୍ୟରେ ମାମଲା ଆବଣ୍ଟନ କାର୍ଯ୍ୟରେ ଏକାଧିକ ବିଚାରପତିଙ୍କୁ ସଂପୃକ୍ତ କରାଯାଏ, ତେବେ ଏହା କେବଳ ଅଯଥା ଅରାଜକତା ସୃଷ୍ଟି କରିବ। ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲଙ୍କ ଏହି ଯୁକ୍ତି ଶୁଣିବା ପରେ ବିଚାରପତି ଜଷ୍ଟିସ୍‌ ଏ କେ ସିକ୍ରି ଓ ଜଷ୍ଟିସ୍‌ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣିକୁ ଶେଷ କରିବା ସହ ଏ ମାମଲାରେ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି।

ସମ୍ବନ୍ଧିତ ଖବର