ଅମରାବତୀ ରାଜଧାନୀ ନିମନ୍ତେ ଅନୁପଯୁକ୍ତ: ଆନ୍ଧ୍ର ମନ୍ତ୍ରୀ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ସତ୍ୟନାରାୟଣ ବୋତ୍‌ସା ମଙ୍ଗଳବାର ଦିନ କହିଛନ୍ତି ଯେ ରାଜ୍ୟ ରାଜଧାନୀର ଅବସ୍ଥିତି ସଂକ୍ରାନ୍ତରେ ତାଙ୍କ ସରକାର ଗୁରୁତ୍ୱ ସହ ଆଲୋଚନା କରୁଛନ୍ତି ଏବଂ ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ଘୋଷଣା କରିବେ।

ବୋସ୍‌ତା କହିଛନ୍ତି ମରାବତୀରେ କୃଷ୍ଣାନଦୀ ବଢ଼ିବା ପ୍ରମାଣିତ କରୁଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ରାଜଧାନୀ ନିର୍ମାଣ ନିମନ୍ତେ ଭୁଲ୍‌ ସ୍ଥାନ ନିରୂପଣ କରିଛନ୍ତି। ସମଗ୍ର ଅଞ୍ଚଳରେ ସର୍ବଦା ବନ୍ୟା ଆସିବାର ଆଶଙ୍କା ଥିବାରୁ ଅମରାବତୀ ରାଜଧାନୀ ହେବାକୁ ଉପଯୁକ୍ତ ନୁହେଁ। ବଢ଼ି ଋତୁରେ ଜଳ ନିଷ୍କାସନ ନିମନ୍ତେ ଆମକୁ ଚେକ୍‌ ଡ୍ୟାମ୍‌, କେନାଲ ଏବଂ ଫ୍ଲଡ୍‌ ଚାନେଲ୍‌ ନିର୍ମାଣ କରିବାକୁ ପଡ଼ିବ।

ସେ ଆହୁରି କହିଛନ୍ତି କି, ଅନ୍ୟ ସ୍ଥାନ ଅପେକ୍ଷା ଅମରାବତୀରେ ନିର୍ମାଣ ଖର୍ଚ୍ଚ ବିପୁଳ ହେବ। ରାଜ୍ୟ ତହବିଲ ଉପରେ ବଡ଼ ବୋଝ ପଡ଼ିବ ଏବଂ ସର୍ବସାଧାରଣଙ୍କ ଅର୍ଥର ବିପୁଳ ଅପଚୟ ହେବ।

ଶାସକ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ସାଧାରଣ ସମ୍ପାଦକ ଭି ବିଜୟ ରେଡ୍ଡୀ ବୋତ୍‌ସାଙ୍କୁ ସମର୍ଥନ କରିଛନ୍ତି। ସେ ଟୁଇଟ୍‌ କରିଛନ୍ତି ଯେ ରାଜଧାନୀ ନିମେନ୍ତ ସରକାର ଏଭଳି ତଳିଆ ଅଞ୍ଚଳ ବାଛିଲେ କାହିଁକି ବୋଲି କେନ୍ଦ୍ର ପ୍ରଶ୍ନ ଉଠାଇ ପାରେ। ବନ୍ୟା ଯୋଗୁଁ ଅମରାବତୀ ବସବାସ ପାଇଁ ଅନୁପଯୁକ୍ତ। ଆଗାମୀ ଦିନରେ ଲୋକେ ମଧ୍ୟ ଏଇ କଥା ସନ୍ଦେହ କରିବେ।

ଅମରାବତୀକୁ ବିଶ୍ୱର ୧୦ଟି ଶ୍ରେଷ୍ଠ ରାଜଧାନୀ ସହର କରିବାକୁ ନାଇଡୁ ପଣ କରିଥିଲେ। ରାଜଧାନୀ ନିର୍ମାଣ ନିମନ୍ତେ ସେ ପ୍ରାୟ ୨୫୦୦୦ କୃଷକଙ୍କ ଠାରୁ ୨୪, ୦୦୦ ଏକରରୁ ଊର୍ଦ୍ଧ୍ୱ ଜମି ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର