ଅମରନାଥ ଯାତ୍ରୀ ଆମର ଅତିଥି, ଶିକାର ନୁହନ୍ତି: ହିଜ୍‌ବୁଲ୍‌ କମାଣ୍ଡର୍‌

ଶ୍ରୀନଗର: ପାକିସ୍ତାନ ପୃଷ୍ଠପୋଷକତା କରୁଥିବା ଆତଙ୍କ ସଙ୍ଗଠନ ହିଜ୍‌ବ-ଉଲ୍‌-ମୁଜାହିଦୀନ କହିଛି ଯେ ବାର୍ଷିକ ଅମରନାଥ ଯାତ୍ରାରେ ଯାଉଥିବା ଯାତ୍ରୀମାନେ ଆତଙ୍କବାଦୀଙ୍କ ଅତିଥି, ସେମାନଙ୍କ ଶତ୍ରୁ ନୁହନ୍ତି।

ଶୀର୍ଷସ୍ତରୀୟ ହିଜ୍‌ବୁଲ୍‌ ମୁଜାହିଦୀନ କମାଣ୍ଡର୍‌ ରିୟାଜ୍‌ ନାଇକୁ ସାମାଜିକ ଗଣମଧ୍ୟମରେ ଭାଇରାଲ୍‌ ହୋଇଥିବା ଏକ ନୂତନ ଭିଡିଓ କ୍ଲିପ୍‌ରେ ଏ କଥା କହିଛନ୍ତି।

ଭିଡିଓ କ୍ଲିପ୍‌ରେ ନାଇକୁ କହିଛନ୍ତି: ଅମରନାଥ ଯାତ୍ରୀମାନେ ଆମର ଶିକାର ନୁହନ୍ତି। ଧାର୍ମିକ ରୀତି ସମ୍ପନ୍ନ କରିବାକୁ ସେମାନେ ଏଠାକୁ ଆସିଛନ୍ତି। ସେମାନେ ଆମର ଅତିଥି।

ବାର୍ଷିକ ଅମରନାଥ ଯାତ୍ରାରେ ଯାଉଥିବା ଯାତ୍ରୀମାନଙ୍କୁ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି ବୋଲି ପ୍ରକାଶିତ ଖବରକୁ ହିଜ୍‌ବୁଲ୍‌ ମୁଜାହିଦୀନ କମାଣ୍ଡର୍‌ ସମାଲୋଚନା କରିଛନ୍ତି।

ସେ କହିଛନ୍ତି: ଆମେ କେବେ ଅମରନାଥ ଯାତ୍ରୀଙ୍କୁ ଆକ୍ରମଣ କରିନାହୁଁ।

ଆମେ ଯାତ୍ରୀଙ୍କ ବିରୋଧରେ ଲଢ଼େଇ କରୁନାହୁଁ, ଯେଉଁମାନେ ଆମକୁ ବନ୍ଧୁକ ଧରାଇବାକୁ ବାଧ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ ଲଢ଼େଇ କରୁଛୁ। ଆମ ଅଧିକାର ଓ ସ୍ୱାଧୀନତା ପାଇଁ ଆମେ ଲଢୁଛୁ ବୋଲି ନାଇକୁ ଆହୁରି କହିଛନ୍ତି।

ଭାରତୀୟ ନୁହନ୍ତି, ଭାରତ ବିରୋଧରେ ଆମର ଲଢ଼େଇ ବୋଲି କହି ନାଇକୁ ତାଙ୍କର ବକ୍ତବ୍ୟ ଶେଷ କରିଛନ୍ତି।

ଅବଶ୍ୟ ଭାଇରାଲ୍‌ ହୋଇଥିବା ହିଜବ୍‌-ଉଲ୍‌-ମୁଜାହିଦୀନ୍‌ ଭିଡିଓର ସତ୍ୟତା ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ।

ସମ୍ବନ୍ଧିତ ଖବର