ଲସ୍କର-ଇ-ତୋଏବାର ଟର୍ଗେଟରେ ଅମରନାଥ ଯାତ୍ରୀ; ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ପଠାଇଲା ଏନ୍‌ଏସ୍‌ଜି କମାଣ୍ଡୋ

ନୂଆଦିଲ୍ଲୀ: ଗତ ଜୁନ୍‌ ୨୬ ତାରିଖରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହୋଇ ଯାଇଥିବା ବେଳେ ଅମରନାଥ ଯାତ୍ରୀମାନଙ୍କ ଉପରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଆତଙ୍କୀ ହାମ୍‌ଲା କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ଭାରତୀୟ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

ଗୁଇନ୍ଦା ବିଭାଗ ସୂତ୍ରରୁ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ କୂଲ୍‌ଗାମରେ ଥିବା ଭିସୁ ମୀର୍‌ ବଜାର ନିକଟରେ ଏହି ଆତଙ୍କୀ ହାମ୍‌ଲା କରିବା ପାଇଁ ଲସ୍କର-ଇ-ତୋଇବାର ଆତଙ୍କବାଦୀମାନେ ଯୋଜନା ପ୍ରସ୍ତୁତ କରିଛନ୍ତି। ଏବଂ ଲସ୍କର-ଇ-ତୋଇବାର କୁଖ୍ୟାତ ଆତଙ୍କବାଦୀ ମହମ୍ମଦ ନଭେଦ୍‌ ଜୁତ୍‌ ଓରଫ ଆବୁ ହନ୍‌ଜାଲା ଏହାର ନେତୃତ୍ୱ ନେଉଥିବା ଜଣିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଗତ ଫେବ୍ରୁଆରି ମାସରେ ଆତଙ୍କବାଦୀମାନେ ଶ୍ରୀନଗରର ଏକ ଡାକ୍ତରଖାନା ଉପରକୁ ଗୁଳି ଚଳାଇ ସେଠାରେ ବନ୍ଦୀ ଥିବା ଆବୁ ହନ୍‌ଜାଲାକୁ ମୁକୁଳାଇ ନେଇଥିଲେ।

ଗୁଇନ୍ଦା ବିଭାଗ ପକ୍ଷରୁ ଏହି ରିପୋର୍ଟ ମିଳିବା ପରେ ଅମରନାଥ ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆତଙ୍କୀ ହାମ୍‌ଲା ଓ ଆତଙ୍କବାଦୀମାନଙ୍କର ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ଏନ୍‌ଏସ୍‌ଜିର ଏକ କମାଣ୍ଡୋ ବାହିନୀଙ୍କୁ ସମସ୍ତ ପ୍ରକାରର ଅତ୍ୟାଧୁନିକ ମାରଣାସ୍ତ୍ର ସହ ଅମରନାଥ ଯାତ୍ରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜମ୍ମୁ- କଶ୍ମିର ପଠାଇଛନ୍ତି। ଏବଂ ଏନ୍‌ଏସ୍‌ଜିର ଏହି କମାଣ୍ଡୋ ବାହିନୀ ଏବେ ଶ୍ରୀନଗରର ହୁମ୍‌ହାମ୍‌ ଠାରେ ଥିବା ବିଏସ୍‌ଏଫ୍‌ର ମୁଖ୍ୟାଳୟରେ ଡେରା ପକାଇ ରହିଛନ୍ତି। ଏହାଛଡ଼ା ଅମରନାଥ ଯାତ୍ରୀମାନଙ୍କର ସୁରକ୍ଷା ପାଇଁ ସିଆରପିଏଫ୍‌ର ଜବାନମାନଙ୍କୁ ନେଇ ଏକ ମୋଟର ସାଇକେଲ ସ୍କାର୍ଡ ମଧ୍ୟ ଗଠିତ ହୋଇଛି। ଯେଉଁମାନେ ଦିନରାତି ୨୪ ଘଣ୍ଟା ତିନିଟି ସିଫ୍ଟରେ ମୋଟର ସାଇକେଲରେ ବୁଲି ଅମରନାଥ ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି।

ସମ୍ବନ୍ଧିତ ଖବର