ଆମାଜନ ମୁଖ୍ୟ ଜେଫ ବେଜସ୍‌ଙ୍କ ମୋବାଇଲ ଫୋନ ହ୍ୟାକ, ହ୍ୟାକ ପଛରେ ସାଉଦି ପ୍ରିନ୍ସଙ୍କ ହାତ ଥିବା ନେଇ ଚର୍ଚ୍ଚା!

ଲଣ୍ଡନ : ଟେକ୍ନୋଲୋଜି ଯୋଗୁଁ ଆଜି ବହୁତ କାମ କରିବା ସରଳ ଓ ସୁବିଧା ହୋଇପାରିଛି । ଠିକ୍ ସେହିପରି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଲିକ୍ ହେବା ବିପଦ ମଧ୍ୟ ବଢିଯାଇଛି । ଆଜିକାଲି ହାଇ-ସିକ୍ୟୁରିଟି ଟେକ୍ନୋଲୋଜିକୁ ଭେଦ କରି ହ୍ୟାକର୍ସମାନେ ଯେକୌଣସି ବ୍ୟକ୍ତିର ତଥ୍ୟ ଚୋରି କରିବାରେ ସକ୍ଷମ ହେଉଛନ୍ତି । ଆଉ ଯାହାର ସଦ୍ୟତମ ଶିକାର ହୋଇଛନ୍ତି ଆମାଜନ୍ ମାଲିକ ଜେଫ ବେଜସ୍ ।

ଆମାଜନ ମୁଖ୍ୟଙ୍କ ମୋବାଇଲ ଫୋନ ହ୍ୟାକ । ହ୍ୟାକର୍ସଙ୍କ ଶିକାର ହେଲେ ଜେଫ ବେଜସ୍ । ବ୍ରିଟେନ ଗଣମାଧ୍ୟମ ଗାର୍ଜିୟନ ଖବର ଅନୁସାରେ ସାଉଦି ଆରବର କ୍ରାଉନ ପ୍ରିନସ ୨୦୧୮ରେ ଜେଫ ବେଜସଙ୍କୁ ହ୍ୱାଟ୍ସଆପରେ ଏକ ଭିଡିଓ ମ୍ୟାସେଜ ପଠାଇଥିଲେ । ଆଉ କ୍ରାଉନ ପ୍ରିନସଙ୍କ ମେସେଜକୁ ରିସିଭ କରିବା ମାତ୍ରେ ଆମାଜନ ମୁଖ୍ୟ ଜେଫ ବେଜସଙ୍କ ମୋବାଇଲ ହ୍ୟାକ ହୋଇଯାଇଥିଲା ।

କୁହାଯାଉଛି ସାଉଦି ପ୍ରିନ୍ସ ମହମ୍ମଦ ବିନ ସଲମାନ ପଠାଇଥିବା ଏହି ମେସେଜରେ ହ୍ୟାକ ଭାଇରସ ଲୁଚି ରହିଥିଲା । ମେସେଜକୁ ରିସିଭ କରିବା ମାତ୍ରେ ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଜେଫ ବେଜସ ଫୋନରୁ ଡାଟା ଚୋରି ହୋଇଥିଲା । ଏଥିରେ ରହିଥିଲା ଜେଫ ଓ ତାଙ୍କ ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ବ୍ୟବସାୟିକ ଦସ୍ତାବିଜ ଏବଂ ଅନ୍ୟ ଜରୁରୀ ସୂଚନା ।

ଫୋନ ହ୍ୟାକର କିଛି ଦିନ ପରେ ଆମାଜନ୍ ମୁଖ୍ୟ ଜେଫ ଓ ତାଙ୍କ ପତ୍ନୀ ମାକେନଜିଙ୍କ ଦୀର୍ଘ ୨୫ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ସେପଟେ ଆମେରିକୀୟ ଗସିପ ମ୍ୟାଗାଜିନ ଦ ନାସନାଲ ଇନକ୍ୱାରିଅର ଜେଫ ଓ ତାଙ୍କ ପ୍ରେମିକା ଲାରେନ ସାଂଚେଜଙ୍କ ବାର୍ତ୍ତାଳାପକୁ ମଧ୍ୟ ପ୍ରକାଶିତ କରିଥିଲା ।

ସେହିପରି ଦ ୱାଂଶିଟନ ପୋଷ୍ଟର ସ୍ତମ୍ଭକାର ସାଉଦି ଆରବର ଜମାଲ ଖଗୋଶୀଙ୍କ ମୃତ୍ୟୁ ସଂପର୍କିତ ତଥ୍ୟ ମଧ୍ୟ ଲିକ୍ ହୋଇଥିଲା । ଅନ୍ୟପଟେ ବ୍ଲଗ ଲେଖି ଜେଫ ବେଜସ୍ ତାଙ୍କ ବ୍ୟକ୍ତିଗତ ଫଟୋ ପାଇ ଦ ନାସନାଲ ଇନକ୍ୱାରିଅର ବ୍ଲାକମେଲିଂ କରୁଥିବା ଅଭିଯୋଗ ଆଣିଥିଲେ । ଏଥିସହ ଏହାର ଖୋଳତାଡ ପାଇଁ ଏକ ଘରୋଇ ଗୁଇନ୍ଦାକୁ ନିଯୁକ୍ତ କରିଥିଲେ । ଖୋଳତାଡ ପରେ ସାଉଦି ପ୍ରିନ୍ସଙ୍କ ଭାଇରସ ମେସେଜରୁ ଫୋନ ହ୍ୟାକିଂ ଓ ଡାଟା ଚୋରି କଥାକୁ ପଦାକୁ ଆସିଛି । ତେବେ ସାଉଦି ଆରବ ଦୂତାବାସ ଅଭିଯୋଗକୁ ଖଣ୍ଡନ କରିବା ସହ ତଦନ୍ତ କରି ପ୍ରକୃତ ସତ ପଦାକୁ ଅଣାଯିବ ବୋଲି ପ୍ରତିକ୍ରିୟା ଦେଇଛି ।

ଜେଫ ବେଜସଙ୍କ ମୋବାଇଲ ହ୍ୟାକ ଖବର ପଦାକୁ ଆସିବା ପରେ ଆମେରିକା ମିଡିଆ ଓ ସାଉଦି ଆରବ ମଧ୍ୟରେ ସଂପର୍କ ଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ଦ ୱାଂଶିଟନ ପୋଷ୍ଟ ଖଗୋଶୀଙ୍କ ମୃତ୍ୟୁକୁ ନେଇ ଟିକିନିକି ଖବର ବାହାର କରିଥିଲା । ଖବର କାଗଜର ମାଲିକ ଜେଫ ବେଜସ ଥିବାରୁ ସାଉଦି ଆରବ ଏପରି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ସମ୍ବନ୍ଧିତ ଖବର