ସିରିୟା ଉପରେ ୧୧୪୦ କୋଟି ଟଙ୍କାର କ୍ରୁଜ ମିସାଇଲ ପକାଇଲା ଆମେରିକା !

ଓ୍ଵାସିଂଟନ : ଆମେରିକା ନେତୃତ୍ୱରେ ବ୍ରିଟେନ ଓ ଫ୍ରାନ୍‌ସ ସିରିୟା ଉପରେ ଘନଘନ ମିସାଇଲ ଆକ୍ରମଣ କରୁଛନ୍ତି। ତେବେ ଏହି ଆକ୍ରମଣ ପାଇଁ ଆମେରିକା ଏବେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛି । ଶନିବାର ଗୋଟିଏ ଦିନରେ ହିଁ ଆମେରିକା ସିରିଆ ଉପରେ ମିସାଇଲ ଆକ୍ରମଣ କରି ୧୧୪୦କୋଟି ଟଙ୍କା ଖର୍ଚ୍ଚ କରି ସାରିଛି। ସିରିୟାରେ ଉପରେ ଟମହ୍ଵର୍କ କ୍ରୁଜ ମିସାଇଲ ଦ୍ୱାରା ଆକ୍ରମଣ କରୁଛି ଆମେରିକା। ସିରିୟା ଉପରେ ଏବେ ଆମେରିକା ନେତୃତ୍ୱରେ ଯେଉଁଭଳି ଭାବେ ଆକାଶମାର୍ଗରୁ ଆକ୍ରମଣ କରାଯାଉଛି ତାହା ଏବେ ପୂରା ବିଶ୍ୱବାସୀଙ୍କୁ ଆତଙ୍କିତ କରିଛି ।

ସବୁଠୁ ବଡ କଥା ହେଲା, ପ୍ରତି ଟମହ୍ଵର୍କ କ୍ରୁଜ ମିସାଇଲର ମୂଲ୍ୟ ପାଖାପାଖି ୯.୫ କୋଟି ଟଙ୍କା। ଏହି ହିସାବରେ ଦେଖିବାକୁ ଗଲେ ଆମେରିକା ଏବେ ସିରିୟା ଉପରେ ଆକ୍ରମଣ କରି ପାଖାପାଖି ୧୧ ଆରବ ଖର୍ଚ୍ଚ କରିସାରିଲାଣି। ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଅଧିକାରୀଙ୍କ କହିବା ଅନୁଯାୟୀ, ସିରିୟା ଉପରେ ପ୍ରାୟ ୧୦୦ରୁ ୧୨୦ କ୍ରୁଜ ମିସାଇଲ ଆକ୍ରମଣ କରିଛି ଆମେରିକା। ଗତବର୍ଷ ୫୯ଟି ଟମହ୍ଵର୍କ କ୍ରୁଜ ମିସାଇଲ ସିରିୟା ଉପରେ ପକାଇଥିଲା ଆମେରିକ।

ସିରିୟା ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏକ ବୟାନ ଜାରି କହିଛନ୍ତି, ଯେତେବେଳ ଯାଏଁ ସିରିୟା ସରକାର ରାସାୟନିକ ଆକ୍ରମଣ ବନ୍ଦ ନ କରିଛନ୍ତି ସେତେବେଳ ଯାଏଁ ଆକ୍ରମଣ ଜାରି ରହିବ। ଆମେରିକା ଏହି ଆକ୍ରମଣ ପାଇଁ ବି-୧ ବମ୍ବର୍ସ, ଟର୍ଣ୍ଣାଡୋ ଜେଟ ଓ ଯୁଦ୍ଧପୋତ ବ୍ୟବହାର କରୁଛି । ଯେଉଁ ସ୍ଥାନରେ ସିରିୟା ସରକାର ରାସୟାନିକ ଅସ୍ତ୍ର ଠୁଳ କରୁଛନ୍ତି ଆମେରିକା ଖୋଜି ଖୋଜି ସେଠାରେ ଆକ୍ରମଣ କରୁଛି । ତେବେ ସିରିୟା ଉପରେ ଆକ୍ରମଣ ପରେ ଆମେରିକା ଓ ଋଷ ସର୍ମ୍ପକ ଆହୁରି ତିକ୍ତ ହୋଇଯାଇଛି ।

ସମ୍ବନ୍ଧିତ ଖବର