ସିରିୟାରେ ଆମେରିକାର ଆକ୍ରମଣ : କ୍ରୁଜ୍‌ କ୍ଷେପଣାସ୍ତ୍ର ମାଡ଼ରେ ବହୁ ପ୍ରତିଷ୍ଠାନ ଧ୍ୱସ୍ତ

ଡମାସ୍‌କସ୍‌ : ଆମେରିକା ଓ ତା’ର ମିତ୍ରରାଷ୍ଟ୍ର ବ୍ରିଟେନ୍‌ ଓ ଫ୍ରାନ୍‌ସ ଆଜି ସିରିୟାରେ ବଡ଼ ଧରଣର କ୍ଷେପଣାସ୍ତ୍ର ଓ ବିମାନ ଆକ୍ରମଣ କରିଛନ୍ତି। ଡୁମା ସହରରେ ନିକଟରେ ହୋଇଥିବା ରାସାୟନିକ ଆକ୍ରମଣ ପାଇଁ ବସର-ଅଲ୍‌-ଅସଦ ସରକାରଙ୍କୁ ଦାୟୀ କରି ଆଜି ଭୋର୍‌ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଆକ୍ରମଣ ହୋଇଥିଲା। ଏହି ସମୟ ମଧ୍ୟରେ ପ୍ରାୟ ୧୨୦ଟି ‘ଟମ୍‌୍‌ହକ୍‌’ କ୍ରୁଜ୍‌ କ୍ଷେପଣାସ୍ତ୍ର ରାଜଧାନୀ ଡମାସ୍‌କସ ଓ ଏହାର ନିକଟବର୍ତ୍ତୀ ୩ଟି ସହର ଉପରେ ମାଡ଼ କରାଯାଇଥିବା ବେଳେ ୬ଟି ସହରରେ ମିଳିତ ସେନା ବିମାନ ଆକ୍ରମଣ କରିଥିଲା। ଗୋଟିଏ ପଟେ କ୍ରୁଜ୍‌ କ୍ଷେପଣାସ୍ତ୍ର ବର୍ଷା ଓ ଅନ୍ୟପଟେ ରାଫେଲ ଯୁଦ୍ଧ ବିମାନରୁ ଘନଘନ ବୋମାମାଡ଼ ସିରିଆକୁ ଥରାଇ ଦେଇଥିଲା। ରାଜଧାନୀ ଡମାସ୍‌କସରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ନିକଟବର୍ତ୍ତୀ ଆଉ ୫ଟି ସହରରେ ମଧ୍ୟ ସିରିୟା ସରକାରଙ୍କ ସୈନ୍ୟ ପ୍ରତିଷ୍ଠାନ ଓ ଅସ୍ତ୍ରାଗାର ଛାରଖାର ହୋଇଯାଇଛି। ବିଭିନ୍ନ ମାନବାଧିକାର ସଂଗଠନ କ୍ଷୟକ୍ଷତିର ଆକଳନ କରୁଥିବା ବେଳେ ଏହି ଆକ୍ରମଣ ନେଇ ରୁଷ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆମେରିକାରେ ରୁଷ୍‌ ରାଷ୍ଟ୍ରଦୂତ କହିଛନ୍ତି ଯେ ଏଭଳି ବର୍ବର ଆକ୍ରମଣର ଜବାବ ନିଶ୍ଚିତ ମିଳିବ। କ୍ଷେପଣାସ୍ତ୍ର ମାଡ଼ରେ ସିରିୟାର ଏକ ବଡ଼ ଗବେଷଣା କେନ୍ଦ୍ର, ୨ଟି ସେନା ଶିବିର, ରାସାୟନିକ ଅସ୍ତ୍ର କାରଖାନା, ଅସ୍ତ୍ର ଗୋଦାମ ଏବଂ ଏକ କେନ୍ଦ୍ରୀୟ କମାଣ୍ଡ ସେଣ୍ଟର ଧ୍ୱଂସ ହୋଇଥିବା ଆମେରିକା ପ୍ରତିରକ୍ଷା ସଚିବ ଜେମସ୍‌ ମାଟିସ୍‌ କହିଛନ୍ତି।

ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବା ପାଇଁ ସିରିୟା ବିଭିନ୍ନ ଦିଗରୁ କ୍ଷେପଣାସ୍ତ୍ର ବିଧ୍ୱଂସୀ ରକେଟ୍‌ ମାଡ଼ କରିଥିଲା। ୨୦ଟି ଟମ୍‌ହକ୍‌ କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ନଷ୍ଟ କରାଯାଇଥିବା ସିରିୟା ସରକାର କହିଛନ୍ତି। ଏଭଳି ଆକ୍ରମଣକୁ ଭବିଷ୍ୟତରେ ପଣ୍ଡ କରିବା ପାଇଁ ସିରିୟା ସେନା ସବୁ ପଦକ୍ଷେପ ନେବ ବୋଲି ରାଷ୍ଟ୍ରପତି ବସର୍‌ ଅଲ୍‌ ଅସଦଙ୍କ କାର୍ଯ୍ୟାଳୟରୁ ଜାରି ବିବୃତିରେ କୁହାଯାଇଛି। ଆକ୍ରମଣ ପରେ ଅସଦ୍‌ ଟ୍ଵିଟ୍‌ କରି କହିଥିଲେ ‘ଆଜିର ସକାଳ, ଧୈର୍ଯ୍ୟର ସକାଳ।’ ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଦେଶବାସୀଙ୍କୁ ସମ୍ବୋଧନରେ କହିଛନ୍ତି ଯେ ମାନବତା ବିରୋଧରେ ସିରିୟା ସରକାରଙ୍କ ବର୍ବରତାର ଜବାବରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇଛି। ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନେ ସଫଳତାର ସହ ଏହି ଅଭିଯାନକୁ ସଂପନ୍ନ କରିଛନ୍ତି ବୋଲି ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ତେବେ ଆକ୍ରମଣକୁ ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୀବ୍ର ପ୍ରତିକ୍ରୟା ପ୍ରକାଶ କରିଛନ୍ତି। ଏହି ଆକ୍ରମଣକୁ ସେ ସର୍ବାଧିକ ଗମ୍ଭୀରତାର ସହ ନିନ୍ଦା କରୁଥିବା କହିଛନ୍ତି। ଚୀନ୍‌ ମଧ୍ୟ ଆକ୍ରମଣକୁ ବିରୋଧ କରି ଏହା ବିଷମ ପରିସ୍ଥିତି ସୃଷ୍ଟି କରିବ ବୋଲି କହିଛି। ଆମେରିକା ଅନ୍ତର୍ଜାତୀୟ ଆଇନର ଖୋଲା ଉଲ୍ଲଂଘନ କରି ଏଭଳି ଆକ୍ରମଣ କରିଥିବା ଚୀନ୍‌ କହିଛି।

ସିରିଆରେ ଗୃହଯୁଦ୍ଧ ଆରମ୍ଭ ହେବା ପରଠାରୁ ରାଷ୍ଟ୍ରପତି ବସର-ଅଲ-ଅସଦ୍‌ ସରକାରଙ୍କ ବିରୋଧରେ ଆମେରିକାର ଏହା ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି ଜଣାପଡ଼ିଛି। ଆମେରିକା ପ୍ରତିରକ୍ଷା ବିଭାଗର ସୂଚନା ମୁତାବକ ସିରିୟାର ହାମସ୍‌, କିସ୍‌ଓ୍ଵା, କ୍ୱାଲମୁନ୍‌ ଓ ଡମାସ୍‌କସ୍‌ରେ ଥିବା ସିରିଆ ସରକାରଙ୍କ ରାସାୟନିକ ବୋମା ସଂରକ୍ଷଣ ଗୃହ ଓ ଗବେଷଣା କେନ୍ଦ୍ର ମାଟିରେ ମିଶିଯାଇଛି। ଗତବର୍ଷ ସିରିୟାର ବାୟୁସେନା ଶକ୍ତିକୁ ଛାରଖାର କରିବା ପାଇଁ ଆମେରିକା ୫୯ଟି ଶକ୍ତିଶାଳୀ ଟମ୍‌ହକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ମାଡ଼ କରିଥିବା ବେଳେ ଏଥର ଏହି ସଂଖ୍ୟା ଦୁଇଗୁଣରୁ ଅଧିକ ରହିଥିଲା। ସେପଟେ ଫ୍ରାନ୍ସର ରାଫେଲ ଯୁଦ୍ଧ ବିମାନ ଯୋଗେ ମଧ୍ୟ ଡମାସ୍‌କସ୍‌ ଅଞ୍ଚଳରେ କ୍ରୁଜ୍‌ କ୍ଷେପଣାସ୍ତ୍ର ମାଡ଼ ସାଂଘାତିକ କ୍ଷୟକ୍ଷତି ଘଟାଇଛି। ତେବେ ଆମେରିକା ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରିଥିବାରୁ ରୁଷ୍‌ ସୈନିକଙ୍କ କୌଣସି କ୍ଷତି ଘଟିନାହିଁ। ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ଏଯାବତ୍‌ ଆକଳନ କରାଯାଇନାହିଁ। ରୁଷ୍‌ ସରକାର କହିଛନ୍ତି ଯେ ସିରିୟାର କୌଣସି ସୈନିକ କିମ୍ବା ନାଗରିକଙ୍କ ମୃତ୍ୟୁ ଘଟିଥିବା ଖବର ନାହିଁ। ଆମେରିକା ପ୍ରତିରକ୍ଷା ସଚିବ ମାଟିସ୍‌ କହିଛନ୍ତି ଏହି ଅଭିଯାନ ଶତ ପ୍ରତିଶତ ସଫଳ ହୋଇଛି ଏବଂ ଏଥିରେ ଆମେରିକା କିମ୍ବା ମିତ୍ର ରାଷ୍ଟ୍ରଙ୍କର କୌଣସି କ୍ଷତି ଘଟିନାହିଁ। ଆକ୍ରମଣ ପରେ ଆଜି ସକାଳୁ ସିରିୟା ସେନା ଓ ଜନସାଧାରଣ ଡମାସ୍‌କସ ଓ ଅନ୍ୟ ସହରରେ ଆମେରିକା ବିରୋଧୀ ସ୍ଲୋଗାନ ଦେଇ ରାସ୍ତାକୁ ଓହ୍ଲାଇଥିଲେ। ଜାତୀୟତାବାଦୀ ସଂଗୀତ ଗାନ ସହ ଦେଶକୁ ଯେକୌଣସି ମୂଲ୍ୟ ଦେଇ ରକ୍ଷା କରିବାକୁ ଜନସାଧାରଣ ସଂକଳ୍ପ ନେଇଥିଲେ।

ସମ୍ବନ୍ଧିତ ଖବର