ଚୀନ୍‌ରେ ଆମେରିକୀୟ କୂଟନୀତିଜ୍ଞଙ୍କୁ ରହସ୍ୟମୟ ରୋଗ

ସ୍ୱଦେଶ ଫେରୁଛନ୍ତି କର୍ମଚାରୀ

ଗୁଆଙ୍ଗଝୁ(ଚୀନ୍‌): ଚୀନ୍‌ର ଗୁଆଙ୍ଗ୍‌ଝୁସ୍ଥିତ ଦୂତାବାସରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ପୁଣି କୌଣସି ଏକ ଅଜଣା ଏବଂ ରହସ୍ୟଜନକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ଭୟଭୀତ ହୋଇ ଆମେରିକା ଏହାର କେତେକ କର୍ମଚାରୀଙ୍କୁ ନିଜ ଦେଶକୁ ଫେରାଇ ନେଉଥିବା ଜଣାଯାଇଛି। ଆମେରିକାର କର୍ମଚାରୀମାନେ ରୋଗରେ ଆକ୍ରାନ୍ତ ହୋଇଥିବା ବିଷୟ ଡାକ୍ତରୀ ଯାଞ୍ଚରୁ ଜଣାପଡ଼ିବା ପରେ ଆମେରିକା ଏଭଳି ପଦକ୍ଷେପ ନେଇଛି। ଆମେରିକାର ଏକ ଡାକ୍ତରୀଦଳ ଗୁଆଙ୍ଗଝୁରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲା। ସ୍ୱାସ୍ଥ୍ୟ ଯାଞ୍ଚ ପରେ ଅଜଣା ରୋଗର ଲକ୍ଷଣ ପ୍ରକାଶ କରୁଥିବା କେତେକ କର୍ମଚାରୀଙ୍କୁ ଆମେରିକାକୁ ପଠାଇ ଦିଆଯାଇଛି। ପୂର୍ବରୁ ଏଭଳି ରୋଗର ଳକ୍ଷଣ କ୍ୟୁବା ଓ ଚୀନ୍‌ରେ କାର୍ଯ୍ୟ କରୁଥିବା ଆମେରିକୀୟ କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ଦେଖାଦେଇଥିଲା। ଆମେରିକା ପରରାଷ୍ଟ୍ର ବିଭାଗର ପ୍ରବକ୍ତା ହିଥର ନୌରଟ୍‌ଙ୍କ କହିବାନୁଯାୟୀ ଏକାଧିକ ବ୍ୟକ୍ତିଙ୍କୁ ଆମେରିକା ଫେରାଇ ନିଆଯାଇଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେତେ ଲୋକ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି ଏବଂ କେତେଜଣଙ୍କୁ ଆମେରିକା ପଠାଯାଇଛି ସେ ନେଇ କିଛି କହିନାହାନ୍ତି। ତେବେ ଗତମାସରେ ଗୁଆଙ୍ଗଝୁରେ ଏଭଳି ଏକ ଘଟଣା ଘଟିଥିଲା। ତେବେ ଗୁଆଙ୍ଗଝୁରୁ ଆମେରିକାକୁ ପଠାଇ ଦିଆଯାଇଥିବା ବ୍ୟକ୍ତିଙ୍କ ନାମ ମାର୍କ ଏ ଲେଞ୍ଜି ବୋଲି ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶ କରାଯାଇଛି।

ଉଲ୍ଳେଖଯୋଗ୍ୟ, ଦୁଇମାସ ତଳେ କ୍ୟୁବା ଓ ଚୀନରେ ଥିବା କିଛି ଆମେରିକୀୟ କର୍ମଚାରୀ ଏକ ଅଜଣା ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଉଚ୍ଚ ଶବ୍ଦ ତରଙ୍ଗ ଯୋଗୁଁ ସେମାନଙ୍କ ମସ୍ତିଷ୍କର ସ୍ନାୟୁ ଅକାମି ହୋଇଯାଉଥିବା ଜଣାପଡ଼ିଛି। ଆମେରିକୀୟ ବୈଜ୍ଞାନିକ ଓ ଡାକ୍ତରମାନେ ଏହି ରୋଗର କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଥିବା ବେଳେ ଏହା ଏକ ପ୍ରକାର‘ସୋନିକ ଆଟାକ୍‌’ ବା ଶବ୍ଦ ତରଙ୍ଗ ଆକ୍ରମଣ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର