ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ସ୍ୱଦେଶ ଫେରିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତ ଶେଷ କରି ମଙ୍ଗଳବାର ରାତି ୧୦ଟାରେ ଆମେରିକା ଫେରିଯାଇଛନ୍ତି। ଏହା ପୂର୍ବରୁ ଦିଲ୍ଲୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥି ସହ ଆମେରିକା ଦୂତାବାସରେ ଭାରତୀୟ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ)ଙ୍କୁ ଭେଟିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କୁ କଶ୍ମୀର ସମସ୍ୟା ସଂପର୍କରେ ପ୍ରଶ୍ନ କରାଯିବା ପରେ ସେ କହିଥିଲେ ଯେ କଶ୍ମୀର ସମସ୍ୟା ଭାରତ ଓ ପାକିସ୍ତାନ ମଧ୍ୟରେ ଏକ କଣ୍ଟା ସଦୃଶ । ପ୍ରତି ଘଟଣା ପଛରେ ଦୁଇଟି ଅଲଗା ଅଲଗା କଥା ରହିଥାଏ । ତେବେ ଉଭୟ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ତାଙ୍କର ଉତ୍ତମ ସଂପର୍କ ରହିଛି । ଏହି ସମସ୍ୟାର ସମାଧାନ ପାଇଁ ଯଦି କିଛି ମଧ୍ୟସ୍ଥତା କରିବାକୁ ପଡ଼େ ସେ କରିବେ ।

ପରେ ସମାନ ପ୍ରସଙ୍ଗ ଉପରେ ଆଉ ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଥିଲେ ଯେ କୌଣସି ମଧ୍ୟସ୍ଥତା କଥା ସେ କହିନାହାନ୍ତି । କଶ୍ମୀର ନିଶ୍ଚିତଭାବରେ ଏକ ବଡ଼ ସମସ୍ୟା । କିନ୍ତୁ ଏହାର ସମାଧାନ ବାହାର କରିବା ଦିଗରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି । ଆଗରୁ ସେମାନେ ଏ ଦିଗରେ କାମ କରିଆସିଛନ୍ତି । ପୂର୍ବରୁ ମଧ୍ୟ ଟ୍ରମ୍ପ ଏକାଧିକ ଥର କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କଥା କହିଆସିଛନ୍ତି । ତେବେ ପ୍ରତ୍ୟେକ ଥର ଭାରତ ଏହାକୁ ଖାରଜ କରିଆସିଛି ।

ସମ୍ବନ୍ଧିତ ଖବର