ସାମରିକ ଚୁକ୍ତି ଆଗେଇନେବା ସପକ୍ଷରେ ଆମେରିକା: ଭାରତକୁ ମିଳିବ ଲଢ଼ୁଆ ବିମାନ

ଓ୍ଵାସିଂଟନ: ଭାରତ ସହ କିଛି ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତି ସ୍ୱାକ୍ଷର କରିବା ସପକ୍ଷରେ ଆମେରିକା ଇଚ୍ଛା ପ୍ରକଟ କରିଛି। ଏହା ଦ୍ୱାରା ଆମେରିକାର ଟ୍ରମ୍ପ ପ୍ରଶାସନ ଭାରତକୁ ଏଫ୍‌-୧୬ ଓ ଏଫ୍‌-୧୮ ପରି ଲଢ଼ୁଆ ବିମାନ ବିକ୍ରି ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାନପ୍ରଦାନ ଦିଗରେ ସହାୟକ ହେବ ବୋଲି ଆମେରିକାର ଜଣେ ବରିଷ୍ଠ ପ୍ରାଶାସନିକ ଅଧିକାରୀ କହିଛନ୍ତି।

ଏହି ଚୁକ୍ତି ସାକାର ହେଲେ ଭାରତ-ଆମେରିକ ସାମରିକ ସମ୍ପର୍କ ସୁଦୃଢ଼ ହେବ ବୋଲି ଗତ ମାସରେ ଟ୍ରମ୍ପ ପ୍ରଶାସନ ଆମେରିକା ସଂସଦକୁ ଜଣାଇଥିଲା। ତେଣୁ ଉଭୟ ଦେଶ ଆହୁରି ଘନିଷ୍ଠ ହେବା ଦିଗରେ ଏହି ଚୁକ୍ତି ଜରୁରୀ ବୋଲି ଆମେରିକାର ଦକ୍ଷିଣ ଏବଂ କେନ୍ଦ୍ରୀୟ ଏସିଆ ବିଭାଗ ମନ୍ତ୍ରାଳୟର ଉପସଚିବ ଆଲିସ୍‌ ଜି ଓ୍ଵଲ୍‌ସ ଶୁକ୍ରବାର କହିଛନ୍ତି। ଏହାଦ୍ୱାରା ମଧ୍ୟ ଉଭୟ ଦେଶ ମଧ୍ୟରେ ସାମରିକ ଜ୍ଞାନକୌଶଳର ଭାଗୀଦାରିତା ବଢ଼ାଇବା ସହ ଆମେରିକୀୟମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ଆଣିବ ବୋଲି  ଓ୍ଵଲସ୍‌ କହିଛନ୍ତି। ନିକଟରେ ଭାରତ ଗସ୍ତ କରି ଫେରିଥିବା ଆମେରିକା ବୈଦେଶିକ ବ୍ୟାପାର ସଚିବ ରେକ୍ସ ଟିଲରସନ୍‌ଙ୍କ ସହଯାତ୍ରୀ ଥିବା ଓ୍ଵଲସ୍‌ଙ୍କ ଏହି ବିବୃତି ଭାରତର ଏଫ୍‌-୧୬ ଓ ଏଫ୍‌-୧୮ ବିମାନ ଆହରଣ ପାଇଁ ରାସ୍ତା ଉନ୍ମୁକ୍ତ କରିଦେଇଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର