ଭାରତକୁ ସତର୍କ କଲା ଆମେରିକା

ରୁଷ୍‌ରୁ ନୂଆ ଅସ୍ତ୍ର କିଣିଲେ କଟକଣା ଲାଗୁ

ଓ୍ଵାସିଂଟନ୍‌: ରୁଷ୍‌ରୁ ଅସ୍ତ୍ରଶସ୍ତ୍ର କିଣିବା ପ୍ରସଙ୍ଗରେ ଆମେରିକା ପୁଣିଥରେ ଭାରତକୁ ସତର୍କ କରାଇଛି। ରୁଷ୍‌ରୁ ନୂଆ ଅସ୍ତ୍ରଶସ୍ତ୍ର କିଣିଲେ ଆମେରିକା ପକ୍ଷରୁ ସ୍ୱତନ୍ତ୍ର ରିହାତି ମିଳିବ ନାହିଁ। ଏ ନେଇ କୌଣସି ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ରୁଷ୍‌ରୁ ପ୍ରତିରକ୍ଷା ଅସ୍ତ୍ର କିଣୁଥିବା କିଛି ରାଷ୍ଟ୍ରଗୁଡ଼ିକ ନିମନ୍ତେ ଆମେରିକା ପକ୍ଷରୁ କେତେକ କଟକଣା ଲାଗୁ କରାଯାଇଥିଲା। ଏଥିରେ କିଛି ରାଷ୍ଟ୍ରଙ୍କୁ ଛାଡ଼ କରାଯାଇଥିଲା। ଭାରତକୁ ମଧ୍ୟ ଏହି ରିହାତି ବ୍ୟବସ୍ଥାରେ ସାମିଲ ପାଇଁ ଆମେରିକା ଏହାର ନିୟମରେ ସଂଶୋଧନ ଆଣିଥିଲା। କିନ୍ତୁ ଏବେ ଆମେରିକାର ପେଣ୍ଟାଗନ୍‌ ଅଧିକାରୀ ଭିନ୍ନ କଥା କହିଛନ୍ତି। ରୁଷ୍‌ରୁ ଭାରତ ନୂଆ ଅସ୍ତ୍ର କିଣିଲେ ରିହାତିର ଗ୍ୟାରେଣ୍ଟି ନାହିଁ ବୋଲି କହିଛନ୍ତି। ଭାରତ ଏବେ ରୁଷ୍‌ରୁ ଏସ୍‌-୪୦୦ ‘ସର୍‌ଫେସ୍‌ ଟୁ ଏୟାର’ ମିସାଇଲ୍‌ କିଣିବାକୁ ଯାଉଥିବା ବେଳେ ଆମେରିକାର ଏଭଳି ତାଗିଦ୍‌କୁ ନେଇ ଆଶଙ୍କା ଦେଖାଦେଇଛି। ରୁଷ୍‌ ସହିତ ପ୍ରତିରକ୍ଷା ଓ ଗୁଇନ୍ଦା କ୍ଷେତ୍ରରେ ନୂଆ ରାଜିନାମା କଲେ ଭାରତ ଉପରେ କଟକଣା ଲାଗୁ ହେବ ବୋଲି କୁହାଯାଇଛି। ପେଣ୍ଟାଗନ୍‌ର ସହକାରୀ ପ୍ରତିରକ୍ଷା ସଚିବ (ଏସିଆ, ପ୍ରଶାନ୍ତ ମହାସାଗର ନିରାପତ୍ତା ବ୍ୟାପାର) ର‍୍ୟାଣ୍ଡାଲ୍‌ ସ୍କ୍ରାଇବର କହିଛନ୍ତି, ଭାରତକୁ ରିହାତି ଦେବା ପାଇଁ ନିୟମରେ ସଂଶୋଧନ ଅଣାଯାଇଛି ସତ। କିନ୍ତୁ ରୁଷ୍‌ରୁ ଏହା ମନଇଚ୍ଛା ଅସ୍ତ୍ରଶସ୍ତ୍ର କିଣିବା ଉପରେ ରୋକ୍‌ ଲଗାଯାଇଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ସପ୍ତାହରେ ଭାରତ ଓ ଆମେରିକା ମଧ୍ୟରେ ‘୨+୨’ କଥାବାର୍ତ୍ତା ହେବ। ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରାଳୟ ମଧ୍ୟରେ ଆଲୋଚନା ହେବ।

ସମ୍ବନ୍ଧିତ ଖବର