ଆମେରିକା ବିମାନ ଉପରେ ଲେଜର ଲାଇଟ୍‌ ପକାଇଲା ଚୀନ, ଭୟଙ୍କର ପରିଣତି ପାଇଁ ଆମେରିକାର ଚେତାବନୀ

ଓ୍ଵାସିଂଟନ : ଆମେରିକା ଓ ଚୀନ ମଧ୍ୟରେ ପୁଣି ଏକ ବିବାଦ ଦେଖାଦେଇଛି । ଉତ୍ତର-ଆଫ୍ରିକାର ଗଲ୍ଫ ଅର ଆର୍ଡେନ ନିକଟରେ ଉଡ଼ୁଥିବା ଆମେରିକାର ଲଢୁଆ ବିମାନ ଉପରେ ଚୀନ ପକ୍ଷରୁ ଲେଜର ଲାଇଟ ପକାଯିବାରୁ ଦୁଇଜଣ ପାଇଲଟ ଆହତ ହୋଇଥିବା ଆମେରିକା ଅଭିଯୋଗ କରିଛି । ଚୀନ ପକ୍ଷରୁ ଏହି ଅଭିଯୋଗକୁ ଅସ୍ୱୀକାର କରାଯାଇଥିଲେ ମଧ୍ୟ ଆମେରିକା ଏହି ଘଟଣାକୁ ଅତି ଗୁରୁତର ସହ ନେଇଛି ଓ କୂଟନୈତିକ ସ୍ତରରେ ଏହାର ପ୍ରତିବାଦ କରିଛି । ଆମେରିକାର ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ ଉତ୍ତର ଆଫ୍ରିକାର ଡିଜିବୋତିଠାରେ ଥିବା ଚୀନର ସାମରିକ ଘାଟିରୁ ମିଲିଟାରୀ ଲେଜର ଲାଇଟ୍‌ ଆମେରିକୀୟ ବାୟୁ ସେନାର ଲଢୁଆ ବିମାନ ଉପରେ ପକାଯାଇଥିଲା । ଏହା ଦ୍ୱାରା ଦୁଇଜଣ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି । ଏହି ଘଟଣାକୁ ଆମେରିକା ଅତି ଗୁରୁତର ସହ ନେଇଥିବା ସୂଚନା ମିଳିଛି । ଆମେରିକା ଏହାର ତୁରନ୍ତ ଜବାବ ଦେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ସୂଚନା ମିଳିଛି । ପେଣ୍ଟାଗନର ମୁଖପାତ୍ର ଡାନା ହ୍ଵାଇଟ୍‌ କହିଛନ୍ତି ଯେ ଗତ କିଛି ସପ୍ତାହ ଧରି ଚୀନ ତରଫରୁ ଏପରି ୧୦ ଥର ଲେଜର ଲାଇଟ ପକାଯାଇଛି । ଏହା ଆମେରିକାର ପାଇଲଟ ମାନଙ୍କ ପାଇଁ ଏକ ବିପଦ ବୋଲି ବିଚାର କରାଯାଉଛି ।

ତେବେ ଚୀନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ଚୀନ ସବୁବେଳେ ଅନ୍ତର୍ଜାତୀୟ ଆଇନକୁ ମାନି ଆସିଛି, ଏଣୁ ଏପରି କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଚୀନ କହିଛି । ସୁଏଜ କେନାଲ ନିକଟରେ ଥିବା ଡିଜିବୋତିଠାରେ ଚୀନ ପକ୍ଷରୁ ସ୍ଥାପନ କରାଯାଇଥିବା ସାମରିକ ଘାଟି ଗତ ବର୍ଷ ଉଦଘାଟିତ ହୋଇଥିଲା ।

ସମ୍ବନ୍ଧିତ ଖବର