ନୂଆଦିଲ୍ଲୀ : ଶ୍ରୀମନ୍ଦିର ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ ସମ୍ପର୍କରେ ଅନୁଧ୍ୟାନ କରିବାପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍ କ୍ୟୁରି ରଂଜିତ କୁମାର ଆସନ୍ତାକାଲି ୨ ଦିନିଆ ପୁରୀ ଗସ୍ତରେ ଆସିବେ। ପୁରୀରେ ପହଞ୍ଚିବାପରେ ରଂଜିତ କୁମାର ୨୩ ତାରିଖରେ ଶ୍ରୀମନ୍ଦିରର ସ୍ଥିତି ତଥା ଜିଳ୍ଲା ଜଜ୍ଙ୍କ ସୁପାରିସ ଗୁଡ଼ିକର କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଆମିକସ୍ କ୍ୟୁରି ୫ଟି ପ୍ରସଙ୍ଗରେ ଗୁରୁତ୍ବ ଦେବେ। ବିଶେଷ କରି ସିସିଟିଭି କେଉଁ ସ୍ଥାନରେ ଲାଗିଛି ଏବଂ ସେଗୁଡ଼ିକ କିଭଳି କାର୍ଯ୍ୟ କରୁଛି ସେନେଇ ଅନୁଧ୍ୟାନ କରିବେ। ଜଗନ୍ନାଥ ମନ୍ଦିର ସ୍ବଚ୍ଛତା ତଥା ପରିମଳକୁ ନେଇ କେଉଁ ପ୍ରକାର ବ୍ୟବସ୍ଥା କରାଯାଇଛି ଏବଂ ଭକ୍ତମାନଙ୍କର ଗହଳିକୁ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା ଓ ଧାଡ଼ି ବ୍ୟବସ୍ଥା ଉପରେ ମଧ୍ୟ ଆମିକସ୍ କ୍ୟୁରି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ସେବାୟତମାନଙ୍କର ସମସ୍ୟା ତଥା ପରିଚୟ ପତ୍ର ପ୍ରସଙ୍ଗରେ ମଧ୍ୟ ଆମିକସ୍ କ୍ୟୁରି ଆଲୋଚନା କରିବେ। ଏତଦ୍ବ୍ୟତୀତ ଗତବର୍ଷ ଅକ୍ଟୋବର ୩ ତାରିଖରେ ପୁରୀରେ ଘଟିଥିବା ହିଂସାକାଣ୍ଡ ସମ୍ପର୍କରେ ମଧ୍ୟ ଆମିକସ୍ କ୍ୟୁରି ବିସ୍ତୃତ ସୂଚନା ହାସଲ କରିବେ। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନ ସମ୍ପର୍କରେ ତଥ୍ୟ ହାସଲ କରିବେ ଆମିକସ୍ କ୍ୟୁରି। ଇତିମଧ୍ୟରେ ଆମିକସ୍ କ୍ୟୁରିଙ୍କ ସହଯୋଗୀ ପ୍ରିୟା ହିଙ୍ଗୋରାନି ପ୍ରଶାସକ ଓ ସେବକଙ୍କ ସହ ଆଲୋଚନା କରି ଆମିକସ୍ କ୍ୟୁରିଙ୍କୁ ଫିଡ୍ବ୍ୟାକ୍ ଦେଇ ସାରିଛନ୍ତି।