ବିବାଦରେ ଅମିତ ଶାହ: ବିରୋଧୀଙ୍କୁ କୁୁକୁର,ବିରାଡ଼ି କହିଲେ

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି(ବିଜେପି)ର ୩୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବିରୋଧୀ ଦଳଙ୍କୁ କୁକୁର,ବିରାଡ଼ି, ସାପ ଆଦି କହି ବିବାଦ ସୃଷ୍ଟି କରିଛନ୍ତି। ୨୦୧୯ ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ କଂଗ୍ରେସ ଦଳ ଏବେ ମହାମେଣ୍ଟ ଗଠନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ତୃତୀୟ ସାମୁଖ୍ୟ ପାଇଁ ବିରୋଧୀ ଏକତ୍ରିତ ହେଉଛନ୍ତି। ବିରୋଧୀଙ୍କ ଏଭଳି ମେଣ୍ଟକୁ କଡ଼ା ସମାଲୋଚନା କରି ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ୁଥିବାରୁ ଏହି ଭୟରେ ବିରୋଧୀ ଦଳ ଏବେ ନୂଆ ନାଟକ କରୁଛନ୍ତି। ମୋଦିଙ୍କ ଲୋକପ୍ରିୟତାର ବନ୍ୟାରେ କୁକୁର-ବିରାଡ଼ି, ସାପ-ନେଉଳ ଗୋଟିଏ ସ୍ଥାନରେ ଏକାଠି ହେବାକୁ ପ୍ରୟାସ କରୁଛନ୍ତି। ମୋଦି ହାଓ୍ଵାରେ ବିରୋଧୀଙ୍କ ଏଭଳି ଅବସ୍ଥାକୁ ଦେଶବାସୀ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ବୋଲି ସେ କହିଛନ୍ତି। ତେବେ ଏନ୍‌୍‌ଡିଏର ବିକାଶ ରାଜନୀତି ଆଗରେ ବିରୋଧୀଙ୍କ ସୁବିଧାବାଦୀ ମେଣ୍ଟ ଫେଲ୍‌ ମାରିବ ବୋଲି ବୋଲି ମତଦେଇ ସେ କହିଥିଲେ ବିଜେପି ଏବେ ସଂସଦରେ ସବୁଠାରୁ ବଡ଼ ଦଳ ଭାବେ ନିଜକୁ ପ୍ରତିପାଦିତ କରିଛି ଏବଂ ୨୦୧୯ରେ ବିଶାଳ ବିଜୟ ହାସଲ କରିବାକୁ ଯାଉଛି। କଂଗ୍ରେସକୁ ଟାର୍ଗେଟ କରି ଶାହ କହିଛନ୍ତି ଯେ, ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ସାଢେ ଚାରିବର୍ଷର ହିସାବ ମାଗୁଛନ୍ତି କିନ୍ତୁ ତାଙ୍କ ପୂର୍ବ ପୁରୁଷଙ୍କ ୪୦ ବର୍ଷ ଶାସନର ହିସାବ ଦେଉନାହାନ୍ତି। ତେବେ ବିରୋଧୀ ଦଳଗୁଡ଼ିକୁ କୁକୁର, ବିରାଡ଼ି, ସାପ ଆଦି କହିଥିବାରୁ ଏହି ବୟାନକୁ ନେଇ ରାଜନୀତି ସରଗରମ ହୋଇଛି। ବିରୋଧୀ ମେଣ୍ଟ ଦେଖି ବିଜେପି ଭୟଭୀତ ହୋଇ ଏଭଳି ବୟାନବାଜି କରୁଥିବା କଂଗ୍ରେସ କହିଛି। କଂଗ୍ରେସ ନେତା ରଣଦୀପ ସୂର୍ଯେଓ୍ଵାଲା କହିଛନ୍ତି ଯେ ବିଜେପିର ଭାଷାରୁ ଏହାର ଚେହେରା ଧରାପଡ଼ିଯାଉଛି। ବିରୋଧୀ ଦଳକୁ ସମ୍ମାନ ଦେବା ପରିବର୍ତ୍ତେ ଅଶାଳୀନ ଭାଷା ପ୍ରୟୋଗ କରି ସେ ନିଜ ହିନମନ୍ୟତାକୁ ପ୍ରମାଣିତ କରିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର