କୋଲ୍କାତା: ପଶ୍ଚିମବଙ୍ଗରେ ଆସାମ ତୁଳନାରେ ଅଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି। କିନ୍ତୁ ସେମାନଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ତୃଣମୂଳ କଂଗ୍ରେସ ଜାଣିଶୁଣି ଚୁପ୍ ରହୁଛି। କାରଣ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଦଳର ଭୋଟ୍ବ୍ୟାଙ୍କ। ସେମାନଙ୍କ ସହାୟତାରେ ତୃଣମୂଳ କଂଗ୍ରେସ ନିର୍ବାଚନରେ ଜିତିବାକୁ ସମର୍ଥ ହେଉଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଆଜି କୋଲ୍କାତାରେ ଟିଏମ୍ସି ଉପରେ ବର୍ଷି ଏଭଳି ସମାଲୋଚନା କରିଛନ୍ତି।
ଅମିତ୍ ଶାହ କହିଛନ୍ତି, ଆସାମ ଏନ୍ଆର୍ସି (ରାଷ୍ଟ୍ରୀୟ ନାଗରିକ ପଂଜିକା)ର ଚୂଡ଼ାନ୍ତ ଚିଠା ତାଲିକା ପ୍ରକାଶ ପାଇବା ପରେ ଟିଏମ୍ସି ଏହାକୁ ନେଇ ଅଧିକ ବିରୋଧ କରିଥିଲା। ଏହାକୁ ନେଇ ଦଳର ସଦସ୍ୟମାନେ ସଂସଦରେ ଗୃହକାର୍ଯ୍ୟ ଚଳାଇ ଦେଇନଥିଲେ। ଖାଲି ସେତିକି ନୁହେଁ, ବିଜେପିର ଏହି ଜନସମାବେଶକୁ ପଶ୍ଚିମବଙ୍ଗର ଲୋକମାନେ ଯେମିତି ଦେଖି ନପାରିବେ, ସେଥିପାଇଁ ଅଧିକାଂଶ ଚ୍ୟାନେଲ୍ର ସିଗ୍ନାଲ୍କୁ କାଟି ଦିଆଯାଇଛି। କିନ୍ତୁ ଏହା ଆମକୁ ରୋକିପାରିବ ନାହିଁ। ଆମେ ରାଜ୍ୟରୁ ଟିଏମ୍ସିକୁ ଉପାଡ଼ି ଫିଙ୍ଗିବୁ। ଗଣତନ୍ତ୍ରର ତଣ୍ଟିଚିପି ଯେ କେହି ଆଗକୁ ବଢ଼ିବାକୁ ଚେଷ୍ଟା କରିବ, ତା’ର ପରାଜୟ ନିଶ୍ଚିତ। ଅତୀତରେ ମଧ୍ୟ ଏଭଳି ଘଟିଛି। ଉଲ୍ଲେଖଥାଉ କି ଆସାମ ଏନ୍ଆର୍ସି ପ୍ରକାଶ ପାଇବା ପରେ ଅମିତ୍ ଶାହଙ୍କ ପକ୍ଷରୁ ପ୍ରଥମ ଥର ପାଇଁ କୋଲ୍କାତାରେ ଜନସମାବେଶ କରାଯାଉଛି। ଏନ୍ଆର୍ସି ପ୍ରସଙ୍ଗରେ ଶାହ କହିଛନ୍ତି, ଏହାକୁ ଟିଏମ୍ସି ସାଂସଦମାନେ ପ୍ରବଳ ବିରୋଧ କରୁଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହି ପ୍ରକ୍ରିୟାକୁ ଆଦୌ ବନ୍ଦ କରିବେ ନାହିଁ। କାରଣ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିପାରନ୍ତି।