ମୁମ୍ବାଇ: ଶିବସେନା ସହିତ ସମ୍ପର୍କରେ ଫାଟ ବଢୁଥିବାରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବା ପାଇଁ ବିଜେପି କର୍ମକର୍ତ୍ତାମାନଙ୍କୁ ଦଳର ଅଧ୍ୟକ୍ଷ ଅମିତ୍ ଶାହ ଆହ୍ବାନ ଦେଇଛନ୍ତି। ପରୋକ୍ଷରେ ଶିବସେନାକୁ ଟାର୍ଗେଟ୍ କରି ଶାହ କହିଛନ୍ତି, ଏଥର ନିର୍ବାଚନରେ ଏକାକୀ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଶିବସେନା ସହିତ ମେଣ୍ଟ ହେବ କି ନହେବ, ତାହାକୁ ଆଉ ଅପେକ୍ଷା ନକରି ଏବେଠୁ ପ୍ରସ୍ତୁତି ଚଳାଇବା ଆବଶ୍ୟକ। ସେନା ସହିତ ମେଣ୍ଟ ହେଲେ ବି ଏହାର କୌଣସି ଫରକ ପଡ଼ିବନାହିଁ। ସହଯୋଗୀ ଶିବସେନା ପ୍ରାର୍ଥୀଙ୍କ ଦ୍ବାରା ବିଜେପିକୁ ଫାଇଦା ମିଳିବ କି ନାହିଁ ତାହା ମଧ୍ୟ ଚିନ୍ତା ନ କରିବା ପାଇଁ ଶାହ କହିଛନ୍ତି। ଅନ୍ୟପକ୍ଷରେ ଶିବସେନା ଶାହଙ୍କ ଏଭଳି ବିବୃତିକୁ ନାପସନ୍ଦ କରିଛି।