ଏନ୍‌ଆଇଏକୁ ଅଧିକ ସ୍ୱାଧୀନତା ଦେବା ପାଇଁ ସଂଶୋଧିତ ବିଲ୍‌କୁ ବିରୋଧ କରିବା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କଲେ ଏଆଇଏମଆଇଏମ ପ୍ରମୁଖ ଅସଦଉଦ୍ଦିନ ୱବେସି, କହିଲେ ସେ କେବଳ ଦେଶର ଗୃହମନ୍ତ୍ରୀ,ଭଗବାନ ନୁହଁନ୍ତି

ନୂଆଦିଲ୍ଲୀ : ଏନ୍‌ଆଇଏକୁ ଅଧିକ ସ୍ୱାଧୀନତା ଦେବା ପାଇଁ ଲୋକସଭାରେ ସଂଶୋଧିତ ବିଲ୍ ଆଗତ ହେବା ପରେ ଏହାକୁ ନେଇ ଗୃହରେ ତୁମ୍ବିତୋଫାନ ଦେଖିବାକୁ ମିଳିଛି। ଏଆଇଏମଆଇଏମ ପ୍ରମୁଖ ଅସଦଉଦ୍ଦିନ ୱବେସି ଏହି ବିଲକୁ ବିରୋଧ କରିବା ସହ ବିଜେପି ସାଂସଦଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି। ତେବେ ୱବେସିଙ୍କୁ ମଧ୍ୟ ଡାଇରେକ୍ଟ ଆଟାକ କରିବାକୁ ପଛାଇ ନାହାନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଆପଣଙ୍କୁ ସମସ୍ତ କଥା ଶୁଣିବାକୁ ପଡିବ ବୋଲି ଗୃହ ମଧ୍ୟରେ ରୋକଠୋକ ଶୁଣାଇଛନ୍ତି ଶାହା।

ତେବେ ଗୃହ ବାହାରେ ୱବେସି କହିଛନ୍ତି, ଯିଏ ବିଜେପିର ନିଷ୍ପତିକୁ ସମର୍ଥନ ନ କରିବ ତାହାକୁ ସରକାର ଦେଶଦ୍ରୋହୀର ଟ୍ୟାଗ୍ ଦେଉଛନ୍ତି। ଗୃହ ମଧ୍ୟରେ ଅମିତ ଶାହା ଆଙ୍ଗୁଳି ଉଠାଇବା ସହ ମୋତେ ଧମକ ଦେଉଛନ୍ତି କିନ୍ତୁ ଶାହା ଭୁଲିଯିବା ଉଚିତ ନୁହେଁ ଯେ, ସେ କେବଳ ଦେଶର ଗୃହମନ୍ତ୍ରୀ,ଭଗବାନ ନୁହଁନ୍ତି।

ଏହାପୂର୍ବରୁ ଏନଆଇଏର ସଂଶୋଧିତ ବିଲ ଆଗତ ହେବା ପରେ ଲୋକସଭାରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ବିଜେପି ସାଂସଦ ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ସତ୍ୟପାଲ ସିଂ କହିଥିଲେ ଯେ, ଯେତେବେଳେ ହାଇଦ୍ରାବାଦ ବିସ୍ଫୋରଣ ଘଟଣାରେ ପୁଲିସ କିଛି ସଂଖ୍ୟାଲଘୁ ସମୁଦାୟର ଲୋକଙ୍କୁ ଗିରଫ କରିଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ପୁଲିସ କମିଶନରଙ୍କୁ ଚେତାବନୀ ଦେଇଥିଲେ। ଏପରିକି ଏଭଳି ନ କରିବାକୁ ପରାମର୍ଶ ଦେଇଥିଲେ ନହେଲେ ଚାକିରି ଚାଲିଯିବ ବୋଲି ମଧ୍ୟ ଧମକ ଦେଇଥିଲେ।

ସତ୍ୟପାଲଙ୍କ ବୟାନକୁ ନେଇ ଆପତ୍ତି ଉଠାଇବା ସହ ବିଜେପି ସରକାରକୁ ଟାର୍ଗେଟ କରିଥିଲେ ୱବେସୀ। ତେବେ ୱବେସୀଙ୍କ ଏଭଳି ଅନ୍ଦାଜ ଦେଖି ଗୃହମନ୍ତ୍ରୀ ଅମିତ ଶାହା ଚିହିଙ୍କି ଉଠିଥିଲେ। ଏଭଳି ପ୍ରସଙ୍ଗ ଶୁଣିବାକୁ ଧୈର୍ଯ୍ୟ ରଖନ୍ତୁ ବୋଲି ୱବେସୀଙ୍କୁ କହିଥିଲେ ଶାହା। ଆଉ ଏହାପରେ ଗୃହ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା।

ସମ୍ବନ୍ଧିତ ଖବର