ମୁହଁ ଖୋଲିଲେ ଅମିତ ଶାହ : ‘ଘୃଣା’ ସୂଚକ ମନ୍ତବ୍ୟ ଯୋଗୁଁ ଦିଲ୍ଲୀରେ ହାରିଲୁ

‘ଗୋଲି ମାରୋ’ ଏବଂ ‘ଭାରତ-ପାକିସ୍ତାନ ମ୍ୟାଚ୍‌’ ଭଳି ମନ୍ତବ୍ୟ ଦେବା ଉଚିତ ନଥିଲା

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ଦଳର କିଛି ନେତାଙ୍କ ଘୃଣାସୂଚକ ଏବଂ ଉତ୍ତେଜନା ସୃଷ୍ଟିକାରୀ ବୟାନ ‌େଯାଗୁଁ ବିଜେପି ହାରିଲା। ଏହା ସ୍ବୀକାର କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ ବିଜେପି ନେତାଙ୍କ ବିବାଦୀୟ ବୟାନ ପାଇଁ ତାଙ୍କ ଦଳକୁ ଦିଲ୍ଲୀରେ ବଡ଼ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି।

ଆଜି ଏଠାରେ ଟାଇମ୍ସ ନାଓ ସମ୍ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି ଯେ ବିଜେପି ନେତାମା‌ନେ ‘ଗୋଲି ମାରୋ’ ଏବଂ ‘ଭାରତ-ପାକିସ୍ତାନ ମ୍ୟାଚ୍‌’ ପରି ବିବାଦୀୟ ଟିପ୍ପଣୀ ଦେବା ଉଚିତ ନଥିଲା। ଏହାକୁ ବିଜେପିର ମନ୍ତବ୍ୟ ବୋଲି ବିଚାର କରିବା ଉଚିତ ନୁହେଁ। ଏମାନଙ୍କ ମନ୍ତବ୍ୟ ଠାରୁ ବିଜେପି ନିଜକୁ ଦୂରେଇ ରଖିଛି। ଏଭଳି ବିବାଦୀୟ ବୟାନ ପାଇଁ ବିଜେପି ଦିଲ୍ଲୀରେ କ୍ଷତିଗ୍ରସ୍ତ ହୋଇଥିବା ସେ ସ୍ବୀକାର କରିଛନ୍ତି। ‘ଭୋଟିଂ ମେସିନର ବଟନ୍ ଏପରି ଚାପ ଯେ ଏହାର ବିଦ୍ୟୁତ ଆଘାତ ସାହିନ ବାଗ୍‌ରେ ଲାଗିବ’ ବୋଲି ତାଙ୍କ ନିଜର ମନ୍ତବ୍ୟ ସଂପର୍କରେ ଶାହ କହିଲେ ‌େଯ ଏହାକୁ ଭିନ୍ନ ରୂପେ ଉପସ୍ଥାପିତ କରାଯାଇଛି। ଏହା ତାଙ୍କର ଉଦ୍ଦେଶ୍ୟ ନଥିଲା।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଦେଇଥିବା ଠେଙ୍ଗା ମାଡ଼ ବୟାନକୁ ମଧ୍ୟ ଶାହ ଉଲ୍ଲେଖ କରିଛନ୍ତି। ତେବେ ଗଣମାଧ୍ୟମ ବିଜେପି ନେତାଙ୍କ ବିବାଦୀୟ ବୟାନକୁ ଯେଭଳି ଉପସ୍ଥାପନ କରିଥିଲା, କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ନେଇ ସେଭଳି ଚର୍ଚ୍ଚା କରିନଥିଲା ବୋଲି ଶାହ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶାହ କହିଲେ ଯେ ସିଏଏ ଏବଂ ଏନ୍‌ଆରସି ପାଇଁ ବିଜେପି କ୍ଷତିଗ୍ରସ୍ତ ହୋଇଥିବା ନେଇ ଯେଉଁ ଆକଳନ କରାଯାଉଛି ତାହାକୁ ଶାହ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, କୌଣସି ଗୋଟିଏ ନିଦିଷ୍ଟ ପ୍ରସଙ୍ଗ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରେ ନାହିଁ। ଦିଲ୍ଲୀ ନିର୍ବାଚନକୁ ଏହା ଉପରେ ଜନାଦେଶ ବୋଲି ଭାବିବା ଉଚିତ ନୁହେଁ। ସିଏଏର ସକାରାତ୍ମକ ଦିଗ ଉପରେ ଆଲୋଚନା ହେବା ଉଚିତ। ସଂସଦରେ ସେ ବିରୋଧୀଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଆଜି ମଧ୍ୟ ଲୋକଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ପ୍ରସ୍ତୁତ ବୋଲି ଶାହ କହିଛନ୍ତି। ଆନ୍ଦୋଳନକାରୀ ଚାହିଁଲେ ସେମାନଙ୍କ ସହିତ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଥିବା ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।

ଦିଲ୍ଲୀରେ ବିଜେପିର ନିର୍ବାଚନୀ ରଣନୀତି ବିଫଳ ହୋଇଥିବା ଶାହ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ବିଜେପି କେବଳ ବିଜୟ ଏବଂ ପରାଜୟ ପାଇଁ ନିର୍ବାଚନ ଲଢ଼ିନାହିଁ। ଆମେ ବିଜେପିର ଆଦର୍ଶ ଏବଂ ମୂଲ୍ୟବୋଧକୁ ପ୍ରସାର କରିବାରେ ବିଶ୍ବାସ କରୁଛୁ ଏବଂ ଏଥିରେ ଆମେ ସଫଳ ହେଉଛୁ। ଦୀର୍ଘ ଦଶନ୍ଧି ଧରି ଆମେ ବିରୋଧୀ ଭାବେ ବସିଥିଲେ ମଧ୍ୟ ଆମେ ଆମ ଆଦର୍ଶ ଛାଡ଼ି ନଥିଲୁ। ଆମେ ‌ସେତେବେଳେ ବି ଧାରା ୩୭୦କୁ ବିରୋଧ କରିଥିଲୁ ଏବଂ ଏବେ ଏହାକୁ ଉଚ୍ଛେଦ କରିଛୁ ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର