ଅମିତ ଶାହଙ୍କ ୟୁ ଟର୍ଣ୍ଣ:‘କଂଗ୍ରେସ ମୁକ୍ତ’ ଭାରତ ଚାହୁଁନୁ!

ରାୟପୁର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି କଂଗ୍ରେସକୁ ନେଇ ତାଙ୍କ ମତ ବଦଳାଇଛନ୍ତି। ଯେଉଁ କଂଗ୍ରେସ ମୁକ୍ତ ଭାରତ ନାରା ଦେଇ ବିଜେପି ବିଗତ ୪ ବର୍ଷ କଂଗ୍ରେସକୁ ଟାର୍ଗେଟ ଆସୁଥିଲା, ଶାହ ଆଜି ସେହି ମତକୁ ବଦଳାଇ ଦେଇଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ମୁକ୍ତ ମାନେ କଂଗ୍ରେସକୁ ବିରୋଧ ନୁହେଁ ବରଂ କଂଗ୍ରେସର ସଂସ୍କୃତି ଓ ପରମ୍ପରାକୁ ମୁକ୍ତ କରିବାର ଏକ ସ୍ଳୋଗାନ। ବିଜେପି କେବେବି କଂଗ୍ରେସ ମୁକ୍ତ ଭାରତ ଚାହିଁ ନାହିଁ ବରଂ କଂଗ୍ରେସ ସରକାରର ତଥାକଥିତ ସଂସ୍କୃତିକୁ ବିରୋଧ କରି ଆସୁଥିବା ସେ ସଫେଇ ଦେଇଛନ୍ତି। କଂଗ୍ରେସ ବର୍ତ୍ତମାନ ଦେଶର ବିରୋଧୀ ଦଳ ଏବଂ ବିରୋଧୀଙ୍କ ଅନୁପସ୍ଥିତିରେ ଗଣତନ୍ତ୍ର ଅସମ୍ପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଦେଶରେ କଂଗ୍ରେସ ଏହାର ସତ୍ତା ହରାଇ ବସୁଛି, ଏହା ଭିନ୍ନ ପ୍ରସଙ୍ଗ ମାତ୍ର ଏହାକୁ ବଞ୍ଚାଇ ରଖିବାର ଦାୟିତ୍ୱ ରାହୁଲ ଗାନ୍ଧୀଙ୍କର ବୋଲି ସେ କହିଛନ୍ତି। ଛତିଶଗଡ଼ର ସୁରଗଜା ଜିଲ୍ଲା ଅମ୍ବିକାପୁରରେ ଆୟେଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶାହ ଦେଇଥିବା ଏଭଳି ମନ୍ତବ୍ୟ ଏବେ ରାଜନୀତିକୁ ସରଗରମ କରିଛି।

ବିଭିନ୍ନ ସମୟରେ ରାହୁଲ ଗାନ୍ଧୀଙ୍କୁ ସେ ଟାର୍ଗେଟ କରୁଥିବା ପ୍ରସଙ୍ଗରେ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଶାହ କହିଛନ୍ତି ଯେ, ସେ କେବେ ରାହୁଲ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଭାବେ ନିଷାଣ କରି ନାହାନ୍ତି। ବରଂ ରାହୁଲ ଓ କଂଗ୍ରେସ ପଚାରୁଥିବା ପ୍ରଶ୍ନ ଗୁଡ଼ିକର ସେ କେବଳ ଉତ୍ତର ଦେଇ ଆସିଛନ୍ତି। କଂଗ୍ରେସର ପରିବାରବାଦ ରାଜନୀତିକୁ ନେଇ ବିଜେପି ସବୁବେଳେ ଅଙ୍ଗୁଳି ଉଠାଇଥିବା ପ୍ରସଙ୍ଗରେ ଉତ୍ତରଦେଇ ସେ କହିଛନ୍ତି ଯେ, ଏହା ଗଣତନ୍ତ୍ରରେ ଏଭଳି ପାରିବାରିକ ରାଜନୀତି ଠିକ୍‌ ନୁହେଁ। ଉଲ୍ଳେଖଯୋଗ୍ୟ, ଆଗକୁ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦୀର୍ଘ ୧୫ ବର୍ଷ ଧରି ଶାସନ କରି ଆସୁଥିବା ବିଜେପି ସରକାର ପୁଣିଥରେ କ୍ଷମତା ଦଖଲ କରିବାର ଆଶା ନେଇ ସେ ଏଭଳି କୂଟନୀତି ପ୍ରୟୋଗ କରୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର