‘ଅମ୍ଫାନ୍‌’: ଲାଣ୍ଡଫଲ୍‌ ପ୍ରକ୍ରିୟା ଶେଷ; ଏବେ ଅବପାତର ରୂପ ନେଇ ସ୍ଥଳପଥରେ ଉତ୍ତର ପୂର୍ବ ଦିଗରେ ଗତିକରୁଛି

ନୂଆଦିଲ୍ଲୀ/ କୋଲକାତା: ଅତିଭୀଷଣ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଆଜି ସନ୍ଧ୍ୟା ୭ଟା ୨୫ମିନିଟ ସମୟରେ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିଛି। ସ୍ଥଳଭାଗକୁ ପ୍ରବେଶ କରିବା ପରେ ଏହା ପଶ୍ଚିମବଙ୍ଗ ଉପରଦେଇ ଉତ୍ତର ପୂର୍ବ ଦିଗକୁ ଗତିକରୁଛି ଏବଂ ସାମୁଦ୍ରିକ ବାତ୍ୟାରୁ ଏହା ଭୀଷଣ ଅବପାତରେ ପରିଣତ ହୋଇଛି। କ୍ରମେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଏହା ଫଳରେ ଆଜି ରାତିରୁ ପଶ୍ଚିମବଙ୍ଗ ସମେତ ଆସାମ, ମେଘାଳୟ ଓ ମିଜୋରାମରେ ପ୍ରବଳ ବର୍ଷା ଆରମ୍ଭ ହୋଇ  ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି।
ଅମ୍ଫାନ ଓଡ଼ିଶା ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗ ଅଭିମୁଖେ ଗତି କରିବା ଆରମ୍ଭ କରିବା ପରେ ଏହା ପ୍ରଭାବରେ କୋଲକତା ମହାନଗରୀ ସମେତ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର, ହୁବୁଳି ଓ ହାଓ୍ଵଡ଼ା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ପବନ ଆରମ୍ଭ ହୋଇଯାଇଥିଲା। ପ୍ରବଳ ବର୍ଷା ସହ ଘଣ୍ଟାକୁ ୧୮୫ରୁ ୧୯୫ କିମି ବେଗରେ ପବନ ବହିବା ସହ ପବନ ଘଟକାର ବେଗ ୨୦୦ କିମି ପର୍ଯ୍ୟନ୍ତ ରହିଥିଲା।
ଅମ୍ଫାନ କୋଲକତା ସମେତ ପଶ୍ଚିିମବଙ୍ଗର ୭ ଜିଲ୍ଲାରେ ତାଣ୍ଡବ ରଚିଥିଲା। ପଶ୍ଚିମବଙ୍ଗରେ ୨ ଜଣଙ୍କ ଜୀବନ ନେଇଥିଲା ଅମ୍ଫାନ। ବିରାଟ ବିରାଟ ଗଛ ସହ ଇଲେକ୍ଟ୍ରି ଖୁଣ୍ଟି ଓ ରାସ୍ତା କଡ଼ରେ ହୋର୍ଡିଂ ସବୁ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା।

ତେବେ, କୋଲକତା ସମେତ ପଶ୍ଚିମବଙ୍ଗରେ ଅମ୍ଫାନ ପ୍ରଭାବରେ ଆରମ୍ଭ ହୋଇଥିବା ବର୍ଷା ଓ ପବନ ରାତି ତମାମ୍‌ ଅବ୍ୟାହତ ରହିବ ବୋଲି ସତର୍କ କରାଇ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଗତ ୧୩ ତାରିଖରୁ ଏକ ଲଘୁଚାପ ରୂପେ ଦାନାବାନ୍ଧି ପରେ ଅତିଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ନେଇଥିବା ଅମ୍ଫାନ୍‌ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ୬.୫ ଲକ୍ଷ ଷଳାକଙ୍କୁ ପ୍ରଭାବିତ କରିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।
ସମ୍ବନ୍ଧିତ ଖବର