ନୂଆଦିଲ୍ଲୀ: ପଞ୍ଜାବର ଅମୃତସର ଜିଲ୍ଲାରେ ସଂଗଠିତ ମାରାତ୍ମକ ବିସ୍ଫୋରଣରେ ସମ୍ପୃକ୍ତ ଦୁଇ ସନ୍ଦିଗ୍ଧଙ୍କ ଫଟୋ ସିସିଟିଭିରେ ଉଠିଛି। ଉଭୟ ନିରଙ୍କରୀ ଭବନ ପରିସର ମଧ୍ୟରେ ଏକ ମଟରସାଇକେଲ୍ରେ ବସିଥିବା ଦେଖାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ସ୍ଥାନୀୟ ଯୁବକଙ୍କ କାଣ୍ଡ ହୋଇଥାଇ ପାରେ ବୋଲି ଏବେ ପୁଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।
ଲମ୍ବା ଦାଢ଼ି ରଖିଥିବା ଏ ଦୁଇ ଯୁବକ ଦୁଇ ଥର ଆଶ୍ରମ ପରିସର ଯାଞ୍ଚ କରିଥିଲେ ଏବଂ ରବିବାର ଦିନ ଧାର୍ମିକ ସମାବେଶ ହୁଏ ବୋଲି ନିଶ୍ଚିତ ଥିଲେ। ସେମାନଙ୍କୁ ଖଲିସ୍ତାନୀ ସମର୍ଥକ ସଂଗଠନ ଗ୍ରେନେଡ୍ ଯୋଗାଇଥିବା ଅନୁମାନ କରାଯାଉଛି।
ଅମୃତସର ବିସ୍ଫୋରଣରେ ସମ୍ପୃକ୍ତ ସନ୍ଦିଗ୍ଧମାନଙ୍କୁ ଧରିବା ବାଟ ଦେଖାଇବା ନିମନ୍ତେ ସୂଚନା ଦେଇ ପାରିବା ବ୍ୟକ୍ତିଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି।
ପୁଲିସ୍ ହେଲ୍ପଲାଇନ୍ – ୧୮୧ରେ ସୂଚନା ଦିଆଯାଇ ପାରିବ ବୋଲି ଘୋଷଣାନାମା ପ୍ରକାଶ ପାଇଛି। ସୂଚନାଦାତାଙ୍କ ପରିଚୟ ପ୍ରଘଟ କରାଯିବ ନାହିଁ ବୋଲି ପଞ୍ଜାବ ସରକାର କହିଛନ୍ତି।
ଆଜି ଅପରାହ୍ଣରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଗ୍ରେନେଡ୍ ଆକ୍ରମଣସ୍ଥଳୀ ଅମୃତସର ଅନ୍ତର୍ଗତ ଆଡ୍ଲିଓ୍ଵାଲ୍ ଗାଁ’କୁ ଯାଇ ଆହତମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ସେ ମଧ୍ୟ ମୃତବ୍ୟକ୍ତିଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ଦୁଇ ମଟରସାଇକେଲ ଆରୋହୀ ବୋମା ଫିଙ୍ଗିବା ବେଳେ ପରିସରରେ ପ୍ରାୟ ୨୦୦ ଲୋକ ସମବେତ ହୋଇଥିଲେ। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ୨୦ ଜଣ ଆହତ ହୋଇଥିଲେ।
ପ୍ରତି ରବିବାର ଦିନ ନିରଙ୍କାରୀ ସମ୍ପ୍ରଦାୟ ଏଠାରେ ସମବେତ ହୁଅନ୍ତି।
ଏଥିରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।
ରାଜ୍ୟରେ ଆତଙ୍କବାଦର ପୁନଃଉତ୍ଥାନ ପାଇଁ ଖଲିସ୍ତାନୀ ଏବଂ କଶ୍ମୀରୀ ଆତଙ୍କବାଦୀଙ୍କୁ ବ୍ୟବହାର କରିବାରେ ଆଇଏସ୍ଆଇର ଭୂମିକା ଉପରେ ଗୁଇନ୍ଦା ବିଭାଗ ଅନୁଶୀଳନ କରୁଛି।