ଅମୃତସର ରେଳ ଦୁର୍ଘଟଣାରେ ସମ୍ପର୍କୀୟଙ୍କ କୋଳରୁ ଝିଟିକି ପଡ଼ିଥିବା ଶିଶୁକୁ କିପରି ଧରି ପକାଇଥିଲେ ମୀନା ଦେବୀ ବଖାଣିଲେ ସେହି ଦୁଃଖଦ ଘଟଣାକୁ

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ନିକଟରେ ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ୬୦ରୁ ଊର୍ଧ୍ୱ ଲୋକଙ୍କ ଜୀବନ ଆଖି ପିଛୁଳାକେ ଚାଲି ଯାଇଥିଲା, କେହି କିଛି ବୁଝିବା ପୂର୍ବରୁ ସବୁକିଛି ଶେଷ ହୋଇ ସାରିଥିଲା। ତେବେ ଏହି ଦୁର୍ଘଟଣାରେ ଏକ ୧୦ମାସର ଶିଶୁର ଜୀବନ ବଞ୍ଚାଇ ଥିବା ଜଣେ ମହିଳା କୋହଭରା ସ୍ୱରରେ ସେଦିନର ଦୃଶ୍ୟକୁ ବଖାଣିଛନ୍ତି।

୫୫ବର୍ଷୀୟ ମୀନା ଦେବୀ ସେଦିନର ଦୁଃଖଦ ଘଟଣାକୁ ମନେ ପକାଇ କହନ୍ତି, ‘ଯୋଡା ଫାଟକ ନିକଟରେ ଆୟୋଜିତ ଦଶହରା ମେଳାରେ ସାମିଲ ହେବା ପାଇଁ ଯାଇଥିଲି। ଏହି ସମୟରେ ସେଠାରେ ଯେଉଁ ଦୁଃଖଦ ଘଟଣା ଘଟିଥିଲା ତାହାକୁ ଅତି ନିକଟରୁ ମୁଁ ନିଜ ଆଖିରେ ଦେଖିଛି। ମେଳା ଦେଖୁଥିବା ସମୟରେ ମୋ ପାଖରେ ଗଣେ ବ୍ୟକ୍ତି ଛିଡା ହୋଇଥିଲେ, ତାଙ୍କ କୋଳରେ ଥିଲା ଏକ ୧୦ ମାସର ଶିଶୁ। ଆକସ୍ମିକ ଭାବେ ଦ୍ରୁତଗତିରେ ଟ୍ରେନ୍‌ ଧାରଣାରେ ମାଡି ଆସିଯିବା ହେତୁ ଟ୍ରେନ୍‌ ଚକା ତଳେ ସେଠାରେ ଉପସ୍ଥିତ ଥିବା ଅନେକ ଲୋକଙ୍କ ଜୀବନ ଚାଲିଯିବା ସହିତ ବହୁ ଗୁରୁତର ମଧ୍ୟ ହୋଇଥିଲେ। ସେହି ସମୟରେ ମୋ’ ପାଖରେ ଛିଡା ହୋଇ ମେଳା ଦେଖୁଥିବା ବ୍ୟକ୍ତିଜଣକ ଟ୍ରେନ୍‌ ସହିତ ଧକ୍କା ଖାଇ ପଛକୁ ପଡି ଯାଇଥିଲେ। ଫଳରେ ସେ ଧରିଥିବା ଶିଶୁ ଝିଟିକି ପଡ଼ିଥିଲା, ସୌଭାଗ୍ୟବଶତଃ ମୁଁ ଶିଶୁକୁ ଧରିବାରେ ସଫଳ ହୋଇଥିଲି । ଫଳରେ ଶିଶୁଟି ତଳେ ପଡ଼ିବାରୁ ବର୍ତ୍ତି ଯାଇଥିଲା। ତା’ର ପରିବାରଲୋକଙ୍କୁ ଖୋଜିବା ପାଇଁ ଦୁର୍ଘଟଣାସ୍ଥଳରେ ଅନେକ ରାତି ପର୍ଯ୍ୟନ୍ତ ଘୂରି ବୁଲିଥିଲି। କିନ୍ତୁ କୌଣସି ସୂଚନା ନପାଇବାରୁ ଶେଷର ପୁଲିସର ସାହାଯ୍ୟ ନେଇଥିଲି। ତା’ପର ଦିନ ସିଭିଲ ହସ୍‌ପିଟାଲ ଯାଇ ଜଣେ ମହିଳା ଜଜ ଶିଶୁକୁ ତାଙ୍କ ହେପାଜତକୁ ନେଇଥିଲେ। ମୋ ଆଶା ଶିଶୁକୁ ତାର ସମ୍ପର୍କୀୟ ମିଳି ଯାଇଥିବେ , ନହେଲେ ମୁଁ ତାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ରାଜି ଅଛି ବୋଲି କହିଥିଲେ ମୀନା ଦେବୀ।

ଅନେକ ଚେଷ୍ଟା କରିବା ପରେ ପ୍ରଶାସନ ୧୦ମାସର ଶିଶୁର ପରିବାର ଲୋକଙ୍କୁ ଖୋଜି ନେଇଛି, ଯାହାଙ୍କ ସିଭିଲ୍‌ ହସ୍‌ପିଟାଲରେ ଚିକିତ୍ସା ଚାଲୁଛି। ଶିଶୁର ନାମ ବିଶାଲ ବୋଲି ଜଣାପଡ଼ିଛି। ବିଶାଲ ମା’ଙ୍କ ଅବସ୍ଥା ଦୁର୍ଘଟଣାରେ ଗୁରୁତର ହୋଇପଡ଼ିଛି। ତେବେ ଯେଉଁ ବ୍ୟକ୍ତିଙ୍କ କୋଳରୁ ଶିଶୁ ଛିଟିକି ପଡ଼ି ମୀନା ଦେବୀଙ୍କ କୋଳକୁ ଆସିଥିଲା ସେହି ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରେଳ ଧାରଣା ଉପରେ ରାବଣ ପୋଡ଼ି ଦେଖୁଥିବା ବେଳେ ଲୋକଙ୍କ ଉପରେ ଡିଏମ୍ୟୁ ଟ୍ରେନ୍‌ ଚଖି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି। ଟ୍ରେନ୍‌ଟି ପଠାନକୋଟରୁ ଅମୃତସର ଯାଉଥିବା ଥିବା ବେଳେ ଗୌଡ଼ା ବଜାରରେ ରାବଣ ପୋଡ଼ି ଆୟୋଜନ ସ୍ଥଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ସମ୍ବନ୍ଧିତ ଖବର