ଏଏମ୍‌ୟୁରେ ଗୁଳିମାଡ଼, ସଂଘର୍ଷ ଜିନ୍ନାଙ୍କ ଫଟୋକୁ ନେଇ ଉତ୍ତେଜନା ଇଣ୍ଟରନେଟ୍‌ ବନ୍ଦ

ଆଲିଗଡ଼: ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ)ରେ ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋ ଲଗାଯିବାକୁ କେନ୍ଦ୍ରକରି ଚାଲିଥିବା ହିଂସାତ୍ମକ ପ୍ରଦର୍ଶନ ଅଣାୟତ୍ତ ରୂପ ନେଇଛି। ଆଜି କ୍ୟାମ୍ପସ ପରିସରରେ ଗୁଳିମାଡ଼ ହେବା ପରେ ତୀବ୍ର ଉତ୍ତେଜନା ଲାଗିରହିଛି। ପୁଲିସ ଲାଠିମାଡ଼ରେ ୨୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି। ତେବେ ଗୁଳିମାଡ଼ରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। କ୍ୟାମ୍ପସ ପରିସରରେ ପୁଲିସ ଓ ର‍୍ୟାପିଡ଼ ଆକ୍ସନ ଫୋର୍ସ ମୁତୟନ ଥିବା ସତ୍ତ୍ୱେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଆଜି କ୍ୟାମ୍ପସ ପରିସରରେ ଜଣେ ଗଣମାଧ୍ୟମ କର୍ମୀଙ୍କୁ ଏକ ଛାତ୍ରଗୋଷ୍ଠୀ ଆକ୍ରମଣ କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଆସନ୍ତା ୫ ତାରିଖ ଯାଏଁ ଇଣ୍ଟରନେଟ୍‌ ସେବା ବନ୍ଦ କରିଛନ୍ତି। ଛାତ୍ର ଗୋଷ୍ଠୀ ମଧ୍ୟରେ ଛକାପଂଝା ଲାଗି ରହିଥିବାରୁ ଏହା ଉପରେ ସତର୍କ ନଜର ରଖାଯାଇଛି। କ୍ୟାମ୍ପସ ପରିସରରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ମଧ୍ୟ ଖବର ମିଳିଛି।

ଜିନ୍ନାଙ୍କ ଫଟୋଚିତ୍ର ୧୯୩୫ ମସିହାରୁ ଏହି ବିଶ୍ୱବିଦ୍ୟାଳୟ ପରିସରରେ ଲାଗିଥିବା ବେଳେ ଏବେ ବିଜେପି ସାଂସଦ ସତୀଶ ଗୌତମ ଏହାକୁ ହଟାଇବାକୁ କହିବାରୁ ବିବାଦ ସୃଷ୍ଟି ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଜିନ୍ନାଙ୍କ ଫଟୋ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜିନ୍ନାଙ୍କୁ ଭାରତୀୟ ଇତିହାସର ଅଂଶ ବିଶେଷ କହି ତାଙ୍କ ଫଟୋଚିତ୍ର କଢ଼ାଯାଇପାରିବ ନାହିଁ ବୋଲି ବିଶ୍ୱବିଦ୍ୟାଳୟର ଏକ ଛାତ୍ରଗୋଷ୍ଠୀ ଦାବି କରିଛନ୍ତି। ସେପଟେ ହିନ୍ଦୁ ଯୁବ ବାହିନୀ ଓ ଏବିଭିପି ଫଟୋ ହଟାଇବା ଦାବିରେ ଜୋର୍‌ଦାର ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ଜିନ୍ନାଙ୍କ କୁଶ ପୁତ୍ତଳିକା ଦାହ କରାଯିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସକୁ ଲାଠିମାଡ଼ କରିବାକୁ ପଡ଼ିଥିଲା।

ଏହି ମାମଲାରେ ଗୋରଖପୁର ସାଂସଦ ପ୍ରବୀଣ ନିଷାଦ କହିଛନ୍ତି ଯେ, ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜିନ୍ନାଙ୍କ ଅବଦାନ ରହିଥିଲା।୨୦୧୯ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଫାଇଦା ଫାଇଁ ବିଜେପି ଏଭଳି ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ସେ ଅଭିଯୋଗ କରଛନ୍ତି। ସମ୍ପ୍ରଦାୟ ଓ ଜାତି ଭିତ୍ତିରେ ବିଜେପି ସମାଜରେ ଫାଟ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି। ଗାଟିଏ ପଟେ ରାଜ୍ୟରେ ଶାସକ ବିଜେପିର କିଛି ନେତା ଜିନ୍ନାଙ୍କୁ ଫଟୋ ରହିବାକୁ ନେଇ ଆପତ୍ତି କରିଥିବା ବେଳେ ଆଉ କିଛି ନେତା ଜିନ୍ନାଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୋଲି କହିଛନ୍ତି। ଏହାକୁ ନେଇ ୟୁପି ବିଜେପିରେ ଫାଟ ସୃଷ୍ଟି ହୋଇଛି। ଆଲିଗଡ଼ ମୁସଲିମ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂଘ କାର୍ଯ୍ୟାଳୟରୁ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋଚିତ୍ର ସଫେଇ ବାହାନାରେ ହଟାଯିବା ପରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିନ୍ନାଙ୍କ ଫଟୋକୁ ଏଏମ୍‌୍‌ୟୁରେ ବରଦାସ୍ତ କରାଯିବ ନାହିଁ ବୋଲି ଘୋଷଣା କରିବା ପରେ ଦକ୍ଷିଣପନ୍ଥୀ ଛାତ୍ର ଓ ଯୁବ ସଂଗଠନମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ। ତେବେ ଛାତ୍ରମାନେ ଏହାକୁ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ତୁହାକୁ ତୁହା ସଂଘର୍ଷ ହେଉଛି ଏବଂ ପରିସ୍ଥିତି ଜଟିଳ ହୋଇପଡ଼ିଛି।

ସମ୍ବନ୍ଧିତ ଖବର