ଜିନ୍ନାଙ୍କ ବିବାଦରେ ଡେଇଁଲେ ଅଲମ୍ପିଆନ : ଜଣେ ପାକିସ୍ତାନୀ ନେତାଙ୍କ ପାଇଁ ଆମେ ଲଢିବା ଲଜ୍ଜାଜନକ : ଯୋଗେଶ୍ୱର ଦତ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଏଏମୟୁ)ରେ ଲାଗିଥିବା ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋକୁ ନେଇ ଚାଲିଥିବା ବିବାଦରେ ଡେଇଁଛନ୍ତି ଭାରତର ଅଲମ୍ପିକ କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ । ଟ୍ଵିଟ୍‌ କରି ସେ ଲେଖିଛନ୍ତି ଯେ ଜିନ୍ନାଙ୍କ ପରି ଜଣେ ବ୍ୟକ୍ତି ପାଇଁ ଆମ ଦେଶରେ ଲଢେଇ ଚାଲିଥିିବା ଶୁଣି ଲଜ୍ଜା ଲାଗୁଛି । ଏପରି ଜଣେ ବ୍ୟକ୍ତି ଯିଏ କି ବଞ୍ଚିଥିବାବେଳେ ଦେଶର ବିଭାଜନ କରିଥିଲେ, ଏବେ ମଲା ପରେ ବି ଦେଶରେ ବିଭାଜନ କରୁଛନ୍ତି ?

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ‘ପାକିସ୍ତାନରେ କଣ କେବେ କୌଣସି ଭାରତୀୟ ନେତାଙ୍କ ପାଇଁ ବିକ୍ଷୋଭ ହୋଇଛି ? ଆମ ଦେଶରେ କାହିଁକି ଆମେ ଜଣେ ପାକିସ୍ତାନୀ ନେତାଙ୍କ ପାଇଁ ପରସ୍ପର ମଧ୍ୟରେ ଲଢିବା ? ଜାଗ୍ରତ ହୁଅ ଭାରତବାସୀ’ ।

 

ସୂଚନାଯୋଗ୍ୟ ଯେ ବିଶ୍ୱବିଦ୍ୟାଳୟରେ ଜିନ୍ନାଙ୍କ ଫଟୋ ଲାଗିଥିବାରୁ ଆଲିଗଡ଼ ବିଧାୟକ ତାହାର ବିରୋଧ କରି ହଟାଇବାକୁ କହିବାରୁ ବିବାଦ ସୃଷ୍ଟି ହୋଇଥିଲା । ଏହି ଫଟୋ ସପକ୍ଷରେ ଛାତ୍ରମାନେ ଜିଦ ଧରିବାରୁ ବିବାଦ ବଢିଥିଲା । ଛାତ୍ରସଂସଦ ପକ୍ଷରୁ କୁହାଯାଇଛି ଯେ ବିଶ୍ୱ ବିଦ୍ୟାଳୟରେ ଏହି ଫଟୋ ଚିତ୍ରଟି ଗତ ୧୯୩୮ ମସିହାରୁ ଲାଗିଛି । ବିଶ୍ୱ ବିଦ୍ୟାଳୟ ଛାତ୍ର ସଂଗଠନର ନିୟମ ଅନୁସାରେ ଅବିଭକ୍ତ ଭାରତର ବିଶିଷ୍ଟ ନେତା ଯେଉଁମାନେ ଏହି ବିଶ୍ୱବିଦ୍ୟାଳୟ ଗ୍ରସ୍ତରେ ଆସିଛନ୍ତି ସେମାନଙ୍କ ଫଟୋ ଲଗାଯାଇଥାଏ । ଏଣୁ ଏହି ଫଟୋ ହଟା ଯିବ ନାହିଁ ବୋଲି ଛାତ୍ର ସଂସଦ ସଭାପତି ମସକୁର ଅହମଦ ଉସମାନୀ କହିଛନ୍ତି । କିନ୍ତୁ ଏହା ହଟାଇବାକୁ ହିନ୍ଦୁ ଯୁବା ବାହିନୀ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବି କରାଯାଉଛି ।

ସମ୍ବନ୍ଧିତ ଖବର