୨୦ ବର୍ଷ ପରେ ‘ଅନୁଲ’ ବିରୋଧରେ ମାମଲା ଜିତିଲା ‘ଅମୂଲ’

ଭଦୋଦରା : ଭାରତରେ ଘରେ ଘରେ ସୁପରିଚିତ ବ୍ରାଣ୍ଡ ଅମୂଲକୁ ନକଲ କରି ବିକୁଥିବା ଏକ ଘରୋଇ କ୍ଷୀର କମ୍ପାନି ବିରୋଧରେ ଦୀର୍ଘ ୨୦ ବର୍ଷ ଧରି ଚାଲିଥିବା ଆଇନଗତ ଲଢେଇରେ ବିଜୟୀ ହୋଇଛି ଗୁଜୁରାଟ ଦୁଗଧ ସମବାୟ ମାର୍କେଟିଂ ଫେଡେରେସନ । ଏହି ଫେଡେରେସନ ହିଁ ଅମୂଲ ବ୍ରାଣ୍ଡରେ ଦୁଗଧଜାତ ପଦାର୍ଥ ଉତ୍ପାଦନ ଓ ମାର୍କେଟିଂ କରିଥାଏ । କିନ୍ତୁ ଅମୂଲ ନାଁ ସହ ସାମ୍ୟ ରହୁଥିବା ଅନୁଲ ନାଁରେ ଏକ ଘରୋଇ କମ୍ପାନି ବିକ୍ରି କରୁଥିବା ଫେଡେରେସନ ଗତ ୧୯୯୮ ମସିହାରେ ଜାଣିପାରିଥିଲା । ଏହି ଘରୋଇ କମ୍ପାନି ଅମୂଲର ଦୁଇଟି ଲୋକପ୍ରିୟ ଉତ୍ପାଦନ ଅମୂଲ ତାଜା ଓ ଅମୂଲ ଶକ୍ତି କୁ ନକଲ କରି ଅନୁଲ ତାଜା ଓ ଅନୁଲ ଶକ୍ତି ନାଁରେ କ୍ଷୀର ପ୍ୟାକେଟ ବିକ୍ରି କରୁଥିଲା । ଏହାକୁ ବିରୋଧ କରି ଫେଡେରେସନ ପ୍ରଥମେ ଅନୁଲ ନାଁରେ ବିକ୍ରି କରୁଥିବା କମ୍ପାନି ଶ୍ରୀଶକ୍ତି ଡାଇରୀ ଓ ଏହାକୁ ମାର୍କେଟିଂ କରୁଥିବା କୁଳଦୀପ ଏଣ୍ଟରପ୍ରାଇଜେସକୁ ଏକ ଆଇନଗତ ନୋଟିସ ପଠାଇଥିଲା । ଏହା ସତ୍ତ୍ୱେ ଉକ୍ତ କମ୍ପାନି ନିଜର କାର୍ଯ୍ୟକଳାପ ଜାରି ରଖିଥିଲା । ଫଳରେ ବାଧ୍ୟ ହୋଇ ଫେଡେରେସନ କୋର୍ଟରେ ଏକ ମାମଲା ଦାଏର କରିଥିଲା । ପ୍ରଥମେ ଏହାକୁ ନାଇଆଡର ଏକ ଜିଲ୍ଲା କୋର୍ଟରେ ଦାଏର କରାଯାଇଥିଲା, ପରେ ଏହାକୁ ଭଦୋଦରାରେ ଥିବା ଏକ ବାଣିଜ୍ୟିକ କୋର୍ଟକୁ ଅଣାଯାଇଥିଲା । କୋର୍ଟରେ ଫେଡେରେସନ ଯୁକ୍ତି କରିଥିଲା ଯେ ଅନୁଲ ନିଜର ପ୍ରଡକ୍ଟ ଗ୍ରାମାଞ୍ଚଳରେ ବିକ୍ରି କରୁଥିବାରୁ ତାହା ଲୋକମାନଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛି । ୨୦ ବର୍ଷ ଧରି ଏହି ମାମଲା ଗଡ଼ିଚାଲିଥିଲା । ଶେଷରେ ଗତ ସପ୍ତାହରେ କୋର୍ଟ ଅମୂଲ ( ଗୁଜୁରାଟ ଦୁଗଧ ସମବାୟ ମାର୍କେଟିଂ ଫେଡେରେସନ)ସପକ୍ଷରେ ରାୟ ଶୁଣାଇଛି । ଏହା ଫଳରେ ଉକ୍ତ ଘରୋଇ କମ୍ପାନି ଆଉ ଅନୁଲ ନାଁରେ ବିକ୍ରି କରିପାରିବ ନାହିଁ ।

ସମ୍ବନ୍ଧିତ ଖବର