ବିବାଦ ମଧ୍ୟରେ ସରିଲା ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କର ୩ ବର୍ଷର କାର୍ଯ୍ୟକାଳ

ନୂଆଦିଲ୍ଲୀ : ଦିଲ୍ଲୀର ପୁଲିସ କମିସନର ରୂପେ ବରିଷ୍ଠ ଓଡ଼ିଆ ଆଇପିଏସ୍ ଅଧିକାରୀ ଅମୂଲ୍ୟ ପଟ୍ଟନାୟକଙ୍କର ତିନି ବର୍ଷର କାର୍ଯ୍ୟକାଳ ଆଜି ଶେଷ ହୋଇଛି।

୧୯୮୫ ମସିହା ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରମ-କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଡର ଆଇପିଏସ୍ ଅମୂଲ୍ୟ ପଟ୍ଟନାୟକ ଜାନୁଆରି ୩୧, ୨୦୧୭ରେ ଦିଲ୍ଲୀ ପୁଲିସ ମୁଖ୍ୟ ରୁପେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସ୍ବଚ୍ଛ ଭାବମୂର୍ତ୍ତି ଓ କାର୍ଯ୍ୟ ଦକ୍ଷତା ପାଇଁ ଚର୍ଚ୍ଚିତ ଅମୂଲ୍ୟ ପଟ୍ଟନାୟକଙ୍କ ଦିଲ୍ଲୀ ପୁଲିସ କମିସନର ରୂପେ ତିନି ବର୍ଷର କାର୍ଯ୍ୟଭାର ଅତ୍ୟନ୍ତ ଘଟଣାବହୁଳ ଥିଲା। ଦିଲ୍ଲୀର ୮୯ ହଜାର ପୁଲିସ ଫୋର୍ସର ନେତୃତ୍ବ ନେଉଥିବା ଅମୂଲ୍ୟ ପଟ୍ଟନାୟକ ନିଜ କାର୍ଯ୍ୟ ଶୈଳୀକୁ ନେଇ ବିବାଦକୁ ଆସିଥିଲେ। ହଜଖାସ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମୁଦାୟ ଲୋକଙ୍କ ଦ୍ବାରା ଏକ ମନ୍ଦିର ଭଙ୍ଗାରୁଜା କରିବାର ଘଟଣାକୁ ନେଇ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ ଅସନ୍ତୋଷ ପ୍ରକାଶ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ। ସେ ଅମୂଲ୍ୟ ପଟ୍ଟନାୟକଙ୍କୁ ଏନେଇ ତାଗିଦ୍ ମଧ୍ୟ କରିଥିଲେ। ନିକଟରେ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ ଓ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ଅମୂଲ୍ୟ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ଉପରେ ପ୍ରଶ୍ନ ଉଠିଥିଲା। ସେହିଭଳି ଓକିଲ ଓ ପୁଲିସ ମୁହାଁମୁହିଁ ମାମଲାରେ ମଧ୍ୟ ଅମୂଲ୍ୟ ପଟ୍ଟନାୟକଙ୍କୁ ଦିଲ୍ଲୀ ପୁଲିସର କର୍ମଚାରୀମାନଙ୍କଠାରୁ ସମାଲୋଚନା ହେବାକୁ ପଡ଼ିଥିଲା। ବିବାଦ କେବଳ ଏତିକିରେ ଥମିଯାଇନଥିଲା। ଚଳିତ ସପ୍ତାହର ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗା ମଧ୍ୟ ଅମୁଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟ ଶୈଳୀ ଉପରେ ଅଙ୍ଗୁଳି ଉଠାଇଥିଲା। ଦଙ୍ଗାକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ପୁଲିସ ବିଫଳ ହେବା ତଥା ପୁଲିସ କମିସନର ରୂପେ ଅମୂଲ୍ୟ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳର ଗସ୍ତ ନ କରିବା ଅଭିଯୋଗ ଜାତୀୟ ଗଣମାଧ୍ୟମ ଚର୍ଚ୍ଚିତ ହୋଇଥିଲା। କେନ୍ଦ୍ର ସରକାରଙ୍କୁ ଦଙ୍ଗା ନିୟନ୍ତ୍ରଣ ପାଇଁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଏସ୍‌ଏନ୍‌ ଶ୍ରୀବାସ୍ତବଙ୍କୁ ନିଯୁକ୍ତି ଦେବାକୁ ପଡ଼ିଥିଲା। ଏପରିକି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଦଙ୍ଗା ନିୟନ୍ତ୍ରଣକୁ ନେଇ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ବୈଠକରେ ଅମୂଲ୍ୟ ପଟ୍ଟନାୟକଙ୍କୁ ସାମିଲ କରାଯାଇ ନଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଏସଏନ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ପୁଲିସ କମିଶନର ରୂପେ ନିଯୁକ୍ତି ଦିଆଯିବାର ମଧ୍ୟ ଘୋଷଣା ମଧ୍ୟ କରାଯାଇଥିଲା।

ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଜନ୍ମିତ ଅମୂଲ୍ୟ ପଟ୍ଟନାୟକ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଏମ୍‌ଏ କରିବା ପରେ ୧୯୮୫ରେ ଭାରତୀୟ ପୁଲିସ ସେବାରେ ପ୍ରବେଶ କରିଥିଲେ। ମୃଦୁଭାଷୀ ତଥା ମିଡିଆ ଠାରୁ ଦୂରେଇ ରହୁଥିବା ଅମୁଲ୍ୟ ପଟ୍ଟନାୟକ ନଜଫଗଡ଼ ସବଡିଭିଜନରେ ଏସିପି ଓ ପୂର୍ବ-ଦକ୍ଷିଣ ଦିଲ୍ଲୀରେ ଡିସିପି, ଜଏଣ୍ଟ ସିପି, ସ୍ପେସିଆଲ ସିପି ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇଥିଲେ। ଚାକିରି କାଳରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ରାଷ୍ଟ୍ରପତି ମେଡାଲରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର